ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠୁ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଗାଁ ଗାଁରେ ସଂଗଠନ ମଜବୁତ କରିବାକୁ ଅଣ୍ଟା ଭିଡ଼ିଲେଣି ସମସ୍ତ ରାଜନୈତିକ ଦଳ। ଶାସକ ଦଳ ବିଜେପିର ଫୋକସ୍ରେ ଯୁବ ଓ ମହିଳା ଭୋଟର ରହିଥିବା ବେଳେ ଦଳର ରାଜ୍ୟ ପ୍ରଭାରୀ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଦୁଇ-ତୃତୀୟାଂଶ ଆସନ ଦଖଲ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ତେବେ ଏହି ଦାବିକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ଏବଂ ବିଜେପିର ଏହି ରଣନୀତିକୁ କାଉଣ୍ଟର କରିବାକୁ ବିଜେଡି ଓ କଂଗ୍ରେସ କିଭଳି ପ୍ରସ୍ତୁତି ଚଳାଇଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ବିଧାନସଭା ଓ ଲୋକସଭା ନିର୍ବାଚନ ପରେ ଏବେ ଗାଁ ଦଖଲ ଉପରେ ସବୁ ଦଳର ନଜର ରହିଛି। ପଞ୍ଚାୟତ ନିର୍ବାଚନ ହେଉଛି ତୃଣମୂଳ ସ୍ତରରେ ରାଜନୈତିକ ଶକ୍ତି ପ୍ରଦର୍ଶନର ସବୁଠାରୁ ବଡ଼ ମଞ୍ଚ। ତେଣୁ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ଏବେଠୁ ସଂଗଠନ ସଜାଡ଼ିବା ଆରମ୍ଭ କରିଛନ୍ତି ରାଜନୈତିକ ଦଳ। ତେବେ ବିଜେପି ପାଇଁ ଏହି ନିର୍ବାଚନ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି, କାରଣ ରାଜ୍ୟରେ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଦଳ ପଞ୍ଚାୟତ ନିର୍ବାଚନର ସାମ୍ନା କରିବ। ଏଥିପାଇଁ ମୈଦାନକୁ ଓହ୍ଲାଇଛନ୍ତି ଦଳର ବରିଷ୍ଠ ନେତା। ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ସ୍ୱଦେଶ ସିଂହ ସଂଗଠନକୁ ନେଇ ଘନ ଘନ ବୈଠକ କରୁଛନ୍ତି। ଜିଲ୍ଲାୱାରୀ ଗସ୍ତ ସାଙ୍ଗକୁ ଜିଲ୍ଲାସ୍ତରରେ ଘନ ଘନ ବୈଠକ, ତୃଣମୂଳ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଏବଂ ସଂଗଠନର ସମୀକ୍ଷା ଉପରେ ଉଭୟ ପ୍ରଭାରୀ ଗୁରୁତ୍ୱ ଦେଉଛନ୍ତି।
ଆଉ ଏହାରି ଭିତରେ ବିଜେପି ରାଜ୍ୟ ପ୍ରଭାରୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଯେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଦୁଇ-ତୃତୀୟାଂଶ ଆସନ ଦଖଲ କରିବ। ୧୫ଟି ଜିଲ୍ଲା ବୁଲି ବିଭିନ୍ନ ସାଂଗଠନିକ ବୈଠକ କରି ଏଥିପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଯୁବ, ମହିଳା ତଥା ବିଭିନ୍ନ ବର୍ଗ ଭାରତୀୟ ଜନତା ପାର୍ଟି ସହ ଅଛନ୍ତି। ଯୁବ, ମହିଳା, ଜନଜାତି ତଥା ସମସ୍ତ ବର୍ଗ ବିଜେପି ସହ ଅଛନ୍ତି ବୋଲି ସହପ୍ରଭାରୀ ସ୍ୱଦେଶ ସିଂହ କହିଛନ୍ତି।
ସେପଟେ ବିଜେଡି ଓ କଂଗ୍ରେସ ପାଇଁ ମଧ୍ୟ ଏହି ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ୨୪ ବର୍ଷର ଶାସନ ଏବଂ ଗ୍ରାମାଞ୍ଚଳରେ ଦଳର ପୁରୁଣା ଜନାଧାରକୁ ଆଧାର କରି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଯୋଜନା କରୁଛି ବିଜେଡି। ନବୀନ ପଟ୍ଟନାୟକଙ୍କ ସଭା, ଜିଲ୍ଲା ଗସ୍ତ ଓ କର୍ମୀଙ୍କ ସହ ସିଧାସଳଖ ଆଲୋଚନା ଦଳ ପାଇଁ ବେଶ୍ ଗୁରୁତ୍ୱ ବହନ କରିବ। ନିକଟରେ ହୋଇଥିବା ଗଞ୍ଜାମ ଗସ୍ତକୁ ମଧ୍ୟ ଦଳର ପୁରୁଣା ଗଡ଼ରେ ଜନସମର୍ଥନ ଫେରାଇ ଆଣିବାର ଏକ ବଡ଼ ଉଦ୍ୟମ ଭାବେ ଦେଖାଯାଉଛି। ତେବେ ବିଜେପି ପ୍ରଭାରୀଙ୍କ ଦମ୍ଭୋକ୍ତିକୁ ‘ମୁଙ୍ଗେରିଲାଲ କେ ହସିନ୍ ସପ୍ନେ’ କହି କଟାକ୍ଷ କରିଛି ବିଜେଡି।
ସେପଟେ କଂଗ୍ରେସ କେବଳ ରାଜଧାନୀରେ ପ୍ରତିବାଦ ନୁହେଁ, ବରଂ ଗାଁକୁ ଯାଇ ଲୋକଙ୍କ ବାସ୍ତବ ସମସ୍ୟା ବୁଝିବା ଉପରେ ଗୁରୁତ୍ୱ ଦେଉଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳିତ, ଆଦିବାସୀ, ମହିଳା, ଯୁବକ ଓ ଅଭିଜ୍ଞ ନେତାଙ୍କୁ ନେଇ ସଂଗଠନରେ ସମନ୍ୱୟ ରଖିବାକୁ ଉଦ୍ୟମ କରୁଛି କଂଗ୍ରେସ। ଅନ୍ୟପଟେ ଅଢ଼େଇ ବର୍ଷର ସରକାର ରାଜ୍ୟର ସମସ୍ତ ବର୍ଗଙ୍କ ପାଇଁ କାମ କରୁଥିବାରୁ ଲୋକମାନେ ବିଜେପିକୁ ପଞ୍ଚାୟତ ନିର୍ବାଚନରେ ଭରସା କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।
୨୦୨୭ ପଞ୍ଚାୟତ ନିର୍ବାଚନକୁ ୨୦୨୯ ବିଧାନସଭା ନିର୍ବାଚନର ସେମିଫାଇନାଲ ଭାବେ ଦେଖାଯାଉଛି। ରାଜ୍ୟରେ ୬,୭୦୦ରୁ ଅଧିକ ଗ୍ରାମ ପଞ୍ଚାୟତ, ୩୧୪ଟି ପଞ୍ଚାୟତ ସମିତି ଏବଂ ୮୫୨ଟି ଜିଲ୍ଲା ପରିଷଦ ଜୋନ୍ରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଗାଁ ଗାଁରେ କାହାର ସଂଗଠନ କେତେ ମଜବୁତ ଏବଂ କାହା ପ୍ରତି ରହିଛି ପ୍ରକୃତ ଜନସମର୍ଥନ, ତାହାର ଚୂଡ଼ାନ୍ତ ଉତ୍ତର ଦେବେ ଗ୍ରାମାଞ୍ଚଳର ଭୋଟର।
