ନୂଆଦିଲ୍ଲୀ: ସରକାରୀ ଠିକାରେ ଆନୁମାନିକ ବ୍ୟୟଠାରୁ ୩୦ ପ୍ରତିଶତରୁ ଅଧିକ କମ୍ ମୂଲ୍ୟରେ ବୋଲି ଲଗାଉଥିବା କମ୍ପାନୀଗୁଡ଼ିକର ଏବେ ଅନିବାର୍ଯ୍ୟ ରୂପେ ଯାଞ୍ଚ ହେବ। ଅର୍ଥ ମନ୍ତ୍ରଣାଳୟ ସରକାରୀ କ୍ରୟ ପ୍ରକ୍ରିୟାରେ ଅସାଧାରଣ ଭାବେ କମ୍ ବୋଲି (Abnormally Low Bid) ଚିହ୍ନଟ କରିବା ପାଇଁ ୩୦ ପ୍ରତିଶତର ସୀମା ନିର୍ଦ୍ଧାରଣ କରିଛନ୍ତି। କମ୍ ମୂଲ୍ୟରେ ଠିକା ହାସଲ କରିବାର ପ୍ରତିଯୋଗିତାରେ କାମର ଗୁଣବତ୍ତା ଓ ସମୟବଦ୍ଧତା ଯେପରି ପ୍ରଭାବିତ ନ ହୁଏ, ତାହା ସୁନିଶ୍ଚିତ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଏ ସମ୍ପର୍କରେ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି।
ଗାଇଡ୍ଲାଇନ୍ ଅନୁସାରେ, ଯଦି କୌଣସି କମ୍ପାନୀ କୌଣସି ସରକାରୀ ଟେଣ୍ଡରରେ ଆନୁମାନିକ ବ୍ୟୟଠାରୁ ୩୦ ପ୍ରତିଶତରୁ ଅଧିକ କମ୍ ମୂଲ୍ୟରେ ବୋଲି ଲଗାଏ, ତେବେ ସମ୍ବନ୍ଧିତ ସରକାରୀ ଏଜେନ୍ସିକୁ ଏହାର ଯାଞ୍ଚ କରିବାକୁ ପଡ଼ିବ। ଏପରି ବୋଲିକୁ ସମ୍ଭାବିତ ରୂପେ ‘ଅସାଧାରଣ ଭାବେ କମ୍ ବୋଲି’ (ଏଏଲ୍ବି) ବୋଲି ବିବେଚନା କରାଯିବ। ଏପରି ମାମଲାରେ ସମ୍ପୃକ୍ତ ବିଭାଗ ବୋଲି ଲଗାଇଥିବା କମ୍ପାନୀକୁ ଲିଖିତ ସ୍ପଷ୍ଟୀକରଣ ମାଗିପାରନ୍ତି। କମ୍ପାନୀକୁ ନିଜ ପ୍ରସ୍ତାବିତ ମୂଲ୍ୟର ବିସ୍ତୃତ ବିବରଣୀ ଦେବାକୁ ପଡ଼ିବ ଏବଂ ନିର୍ଦ୍ଧାରିତ ଦରଠାରୁ ଏତେ କମ୍ ମୂଲ୍ୟରେ କାମକୁ କିପରି ପୂରଣ କରିପାରିବ, ସେ ନେଇ କମ୍ପାନୀକୁ ସନ୍ତୋଷଜନକ ଉତ୍ତର ଜଣାଇବାକୁ ପଡ଼ିବ।
ଏଥିରେ ଯଦି ବୋଲିର ମୂଲ୍ୟ ଓ ଅନ୍ୟ ଦିଗକୁ ଦେଖି କମ୍ପାନୀର କାର୍ଯ୍ୟକ୍ଷମତା ଉପରେ ସନ୍ଦେହ ସୃଷ୍ଟି ହୁଏ, ତେବେ ବିଭାଗ କମ୍ପାନୀକୁ ବିସ୍ତୃତ ମୂଲ୍ୟ ବିଶ୍ଳେଷଣ ମଧ୍ୟ ମାଗିପାରେ। ତେବେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ନିର୍ଦ୍ଧାରିତ ସୀମାଠାରୁ କମ୍ ମୂଲ୍ୟରେ ବୋଲି ଲଗାଇବାର ଅର୍ଥ ଏହା ନୁହେଁ ଯେ ଏହାକୁ ସିଧାସଳଖ ଖାରଜ କରିଦିଆଯିବ। ଯାଞ୍ଚ କାଳରେ ଯଦି କମ୍ପାନୀ ନିର୍ଦ୍ଧାରିତ ମୂଲ୍ୟରେ କାମ ଶେଷ କରିବାକୁ ସକ୍ଷମ ବୋଲି ସାବ୍ୟସ୍ତ କରିବାରେ ବିଫଳ ହୁଏ, ତେବେ ତା’ର ବୋଲି ରଦ୍ଦ କରାଯିବ। ଏଭଳି ସ୍ଥିତିରେ ବିଭାଗ ପରବର୍ତ୍ତୀ ଅଧିକ ମୂଲ୍ୟର ବୋଲି ଉପରେ ବିଚାର କରିପାରେ, ତେବେ ତା’ର ଦର ଉଚିତ ହୋଇଥିବା ଆବଶ୍ୟକ।
ଏହା ପୂର୍ବରୁ ସରକାରୀ କ୍ରୟ ନିୟମରେ ଅସାଧାରଣ ଭାବେ କମ୍ ବୋଲିକୁ ଚିହ୍ନଟ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଶତର ସୀମା ନଥିଲା। ସମ୍ବନ୍ଧିତ ବିଭାଗ ନିଜର ବିବେକ ଏବଂ ଅନୁବନ୍ଧ ପୂରଣ କରିବାର ସମ୍ଭାବିତ ରିସ୍କ ଆଧାରରେ ଟେଣ୍ଡର ଉପରେ ନିଷ୍ପତ୍ତି ନେଉଥିଲେ। ଏହି କାରଣରୁ ବିଭିନ୍ନ ବିଭାଗର ତଦନ୍ତ ପ୍ରକ୍ରିୟାରେ ଯାଞ୍ଚର ଭିନ୍ନତା ରହୁଥିଲା। ଅର୍ଥ ମନ୍ତ୍ରଣାଳୟ ସରକାରୀ ଏଜେନ୍ସିଗୁଡ଼ିକୁ ଟେଣ୍ଡର ସର୍ତ୍ତ ସାବଧାନତାପୂର୍ବକ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି, ଯାହାଦ୍ୱାରା ଅବାସ୍ତବ ଭାବେ କମ୍ ମୂଲ୍ୟରେ ନିଲାମ ଡାକିବାର ପ୍ରବୃତ୍ତିକୁ ରୋକାଯାଇପାରିବ।
ବିଭାଗ ବିଶ୍ୱାସ କରେ ଯେ ଏହି ନୂତନ ବ୍ୟବସ୍ଥା ସରକାରୀ କ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି କରିବା ସହ ଗୁଣାତ୍ମକ ପ୍ରକଳ୍ପ, ସମୟାନୁବର୍ତ୍ତିତା ଓ ସେବାରେ ଉତ୍ତମ ବିତରଣ ସୁନିଶ୍ଚିତ କରିବ। ସରକାରଙ୍କ ଉଦ୍ଦେଶ୍ୟ କମ୍ ମୂଲ୍ୟରେ କାମ ନିଲାମ ଦେବାର ପ୍ରତିଯୋଗିତାକୁ ରୋକିବା ନୁହେଁ, ବରଂ ଚୁକ୍ତିନାମା ହାସଲ କରିଥିବା କମ୍ପାନୀ ପ୍ରସ୍ତାବିତ ମୂଲ୍ୟରେ ନିର୍ଦ୍ଧାରିତ ଗୁଣବତ୍ତା ଅନୁଯାୟୀ କାର୍ଯ୍ୟ ସମାପ୍ତ କରିବାରେ ସକ୍ଷମ ହେବା ନିଶ୍ଚିତ କରିବା। ଏହି ପଦକ୍ଷେପ ଫଳରେ ଅଧାପନ୍ତରିଆ ପ୍ରକଳ୍ପ ସମସ୍ୟା ଦୂର ହେବା ସହ ସରକାରୀ ପାଣ୍ଠିର ସଠିକ୍ ବିନିଯୋଗ ହୋଇପାରିବ ବୋଲି ଆଶା କରାଯାଉଛି।
