ଜଗତସିଂହପୁର/ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ ରେ, ଦୀର୍ଘ ତିନିବର୍ଷ ଧରି, ନବୀକରଣ କାର୍ଯ୍ୟ ଅତି ମନ୍ଥର ଗତି ରେ ଚାଲିଥିବା ବେଳେ, ପ୍ରତିବର୍ଷ ଠିକ ଜନବହୁଳପୂର୍ଣ୍ଣ ଯାନିଯାତ୍ରା ପୂର୍ବରୁ ଠିକାଦାରି ସଂସ୍ଥା ତରଫରୁ ଜେସିପି ମେସିନ୍ ଲଗାଯାଇ, ବିଭିନ୍ନ ସ୍ଥାନରେ ଖୋଳl ତୋଡା କରାଯାଉଥିବାରୁ , ମାଆଙ୍କ ମନ୍ଦିରରେ ପ୍ରବେଶ ପ୍ରସ୍ଥାନ କରିବା ବେଳେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଓ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆସନ୍ତା ଏପ୍ରିଲ ୧୪ ତାରିଖ ସୋମବାର ଦିନ ଏହି ପଣା ସଂକ୍ରାନ୍ତି , ଝାମୁଯାତ୍ରା ପାଳିତ ହେବାକୁ ଯାଉଥିବା ବେଳେ ଠିକ ଆଠ ଦିନ ପୁର୍ବରୁ ହଠାତ୍ ଠିକାଦାରି ସଂସ୍ଥା ତରଫରୁ ମାଆଙ୍କ ସିଂହଦ୍ଵାର , ଦକ୍ଷିଣଦ୍ଵାର ଓ ଚନ୍ଦନ ପୁଷ୍କରିଣୀ ର ଦକ୍ଷିଣ ପୁର୍ବ ପାର୍ଶ୍ଵରେ, ଜେସିପି ମେସିନ୍ ଲଗାଯାଇ ଖୋଳା ଯାଇଥିବାରୁ, ଯାତାୟାତ କ୍ଷେତ୍ରରେ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ଯାଉଛନ୍ତି । ବିଶେଷ କରି ସିଂହଦ୍ବାର ସମ୍ମୁଖରେ ଥିବା ଦୋଳ ମଣ୍ଡପ କୁ ଭଙ୍ଗା ଯାଇ ନଥିବାରୁ ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ ହେବ। ନିକଟ ଅତୀତରେ,ଜଗତସିଂହପୁର ଜିଲ୍ଲା ଉତ୍ସବ କଲ୍ଲୋଳ ରେ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ଥିବା ମୂଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ସବୁ ନେତା ମନ୍ତ୍ରୀ ମାନେ, ସାରଳା ମନ୍ଦିରର ନବୀକରଣ କାର୍ଯ୍ୟ ର ମନ୍ଥରତା ପାଇଁ ଉଦବେଗ ପ୍ରକାଶ କରିବା ସହିତ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି, ଭାଷଣ ଦେଇଥିଲେ।
ମାତ୍ର ଏହା କାର୍ଯ୍ୟକାରୀ ନହେବାରୁ, ଜିଲ୍ଲାର ସବୁ ବିଧାୟକ ଓ ମନ୍ତ୍ରୀମାନଙ୍କ ଏହା ଧର୍ମ କୁ ଆଖିଠାର ଓ କୁମ୍ଭୀର କାନ୍ଦଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବିଶେଷ କରି ଜିଲ୍ଲାଉତ୍ସବ ଆରମ୍ଭରୁ ଶେଷପର୍ଯ୍ୟନ୍ତ ଝଙ୍କଡ଼ ସାରଳା ମନ୍ଦିର ବିଷୟରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଆକ୍ଷେପ ଓ ପ୍ରତି ଆକ୍ଷେପ ଚାଲିଥିଲା ବେଳେ, ସରକାରୀ ଦଳର ଜନପ୍ରତିନିଧି ମାନେ, ଏହାକୁ ସରକାର ଗୁରୁତର ଭାବେ ଗ୍ରହଣ କରିବା ସହିତ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିଥିଲେ। ମାତ୍ର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଥିବାରୁ , ଚଳିତ ହିନ୍ଦୁ ନବବର୍ଷ, ମହାବିଷୁବ ପଣା ସଂକ୍ରାନ୍ତି ଝାମୁଯାତ୍ରା ରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନେ, ମାଆଙ୍କ ଦର୍ଶନ ଓ ପୀଠପରିକ୍ରମା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ। ସବୁଠାରୁ ବଡ଼ କଥା ହେଉଛି ୨୦୧୫ ମସିହାରେ ଏଠାରେ , ବଡ଼ଠାକୁର ବଳଭଦ୍ର ଦେବ ଙ୍କ ବ୍ରହ୍ମଦାରୁ ଆବିର୍ଭାବ ହେବାପରେ, ସାରଳା ପୀଠ କନକପୁର ବଜାର ରୁ ୫୦୦ ରୁ ଉର୍ଦ୍ଧ୍ବ ଯେଉଁ ଦୋକାନୀ ମାନଙ୍କୁ ଉଠାଇ ଦିଆଯାଇଥିଲା ଓ ସେମାନଙ୍କର ଥଇଥାନ ପାଇଁ ପର୍ଯ୍ୟାୟକ୍ରମେ ଯେଉଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଜଣେ ହେଲେ ବିସ୍ଥାପିତ ଙ୍କୁ ତାହା ପ୍ରଦାନ କରାଯାଇନାହିଁ। ସେମାନେ ଉଠା ଦୋକାନ କରି, ନିଜ ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ ମାତ୍ର ସବୁ ଆଡ଼େ ଖୋଳl ତୋଡା ହୋଇଥିବାରୁ, ସେମାନଙ୍କର ଜୀବନ ଜୀବିକା ଉଜୁଡ଼ି ଯାଉଚି ବୋଲି, କନକ ପୁର ବଜାରର ବଣିକ ସଂଘ ର କର୍ମକର୍ତ୍ତା ମାନେ ଘୋର ଉଦବେଗ ପ୍ରକାଶ କରିଅଛନ୍ତି। ଦେଖିବାକୁ ବାକି ରହିଲା ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ କେବେ ଏଥିପ୍ରତି ଯଥାର୍ଥ ଦୃଷ୍ଟିଦେଉଛି ?
