Dba8cd47 77d3 4931 9dc4 4679cb71bd82

ଭୁବନେଶ୍ୱର ସହରାଞ୍ଚଳ ପୋଲିସର ଆରକ୍ଷୀ ଉପଆୟୁକ୍ତ (DCP)ଙ୍କ ନବନିର୍ମିତ କାର୍ଯ୍ୟାଳୟ ଉଦ୍‍ଘାଟିତ

ରାଜ୍ୟ
Spread the love

କମିଶନରେଟ ପୋଲିସ ପାଇଁ ୪୨୫ଟି ଦୁଇ ଚକିଆ ଯାନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଅର୍ବାନ ପୋଲିସ ଆରକ୍ଷୀ ଉପଆୟୁକ୍ତ (DCP)ଙ୍କ ନବନିର୍ମିତ କାର୍ଯ୍ୟାଳୟର ଉଦ୍‍ଘାଟନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୨୭୨ ବର୍ଗମିଟର ଅଞ୍ଚଳରେ ୭ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଚାରିମହଲା ବିଶିଷ୍ଟ ଏହି ନୂତନ କାର୍ଯ୍ୟାଳୟ ସୌଧଟି ନିର୍ମାଣ ହୋଇଛି ।

ଉଦ୍‍ଘାଟନୀ ଅବସରରେ ମୁଖ୍ୟମନ୍ତୀ କହିଛନ୍ତି ଯେ, ଏହି ନୂଆ ଭବନ ଲୋକମାନଙ୍କୁ ଉତ୍କୃଷ୍ଟ ସେବା ଦେବାରେ ସାହାଯ୍ୟ କରିବ । ଏଥିରେ ଭିନ୍ନକ୍ଷମ ଲୋକଙ୍କ ପାଇଁ ରାମ୍ପ, ସାଇବର ସେଲ, CCTNS ରୁମ୍‍, ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍‍, ଲିଗାଲ ସେଲ, ପାସର୍ପୋଟ ବିଭାଗ ଆଦି ସୁବିଧା ଉପଲବ୍‍ଧ କରାଯାଇଛି । ଏଥିସହିତ Conference Hall ଏବଂ ଟ୍ରେନିଂ ହଲ୍‍ର ସୁବିଧା ମଧ୍ୟ ରହିଛି । ଏହି ନୂଆ ଭବନଟି ପୋଲିସ ପ୍ରଶାସନକୁ ଦକ୍ଷତାର ସହ ଲୋକଙ୍କୁ ଠିକ୍‍ ସମୟରେ ସେବା ଯୋଗାଇ ଦେବାପାଇଁ ଉପଯୋଗୀ ହେବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଗତ ମାର୍ଚ୍ଚ ମାସରେ ୪୨ କୋଟି ଟଙ୍କା ବ୍ୟୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମିତ ୧୪ଟି ନୂତନ ଥାନା ଉଦ୍‍ଘାଟିତ ହୋଇଥିଲା ।

ସେ କହିଥିଲେ ଆମ ପୋଲିସ ନିରପେକ୍ଷ ଭାବେ ବିନା ପକ୍ଷପାତିତା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଗତ ଏକ ବର୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସନ୍ତୋଷ ଜନକ ରହିଛି ଏବଂ ଏଥିନେଇ କେନ୍ଦ୍ର ସରକାର ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ରାଜ୍ୟରେ ପ୍ରତ୍ୟେକ ଥାନାରେ କାର୍ଯ୍ୟରତ ତଦନ୍ତକାରୀ ଅଫିସରମାନଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅଧିକ ଦୁଇ ଚକିଆ ଯାନର ବ୍ୟବସ୍ଥା କରାଯାଇଛି । ଆଜି ଏହି କ୍ରମରେ ମୁଖ୍ୟମନ୍ତ୍ରୀ କମିଶନରେଟ ପୋଲିସ ଅନ୍ତର୍ଗତ ବିଭିନ୍ନ ଥାନାର ତଦନ୍ତକାରୀ ଅଫିସରମାନଙ୍କୁ ୪୨୫ ଟି ଦୁଇ ଚକିଆ ଯାନ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ଥାନାମାନଙ୍କୁ ଅଧିକ ଚାରି ଚକିଆ ଯାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଅପରାଧିକ ଆଇନ ଗୁଡ଼ିକର ତଦନ୍ତ ପ୍ରକ୍ରିୟାରେ ଟେକ୍ନୋଲୋଜିର ପ୍ରୟୋଗ ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାଦା ଶ୍ରୀ ପ୍ରକାଶ ମିଶ୍ର, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ, ପୋଲିସ କମିଶନର ଶ୍ରୀ ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ ପୋଲିସ କମିଶନର ଶ୍ରୀ ନରସିଂହ ଭୋଳ, ଡିସିପି ଭୁବନେଶ୍ୱର ଶ୍ରୀ ଜଗମୋହନ ମୀନା ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *