ବନ୍ୟା ସମୀକ୍ଷା ବେଳେ ତଳେ ବସିଲେ ସାମ୍ବାଦିକ, ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ରାଜ୍ୟ
Spread the love

ବାଲେଶ୍ୱର, ୭ ଅଗଷ୍ଟ: ଲଘୁଚାପଜନିତ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ବାଲେଶ୍ୱର ଗସ୍ତ କରିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ଆକଳନ ଏବଂ ପୀଡ଼ିତଙ୍କ ପାଇଁ ସରକାରୀ ସହାୟତା ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

ତେବେ ସାମ୍ବାଦିକ ସମ୍ମିଳନୀ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ବସିବା ବ୍ୟବସ୍ଥାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଉପସ୍ଥିତ ସାମ୍ବାଦିକମାନଙ୍କ ପାଇଁ ପର୍ଯ୍ୟାପ୍ତ ଚେୟାର ବ୍ୟବସ୍ଥା ନ ଥିବାରୁ ଅନେକଙ୍କୁ ତଳେ ବସି ସମ୍ବାଦ ସଂଗ୍ରହ କରିବାକୁ ପଡ଼ିଥିଲା। ଏହି ଦୃଶ୍ୟର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି।

କିଛି ସାମ୍ବାଦିକଙ୍କ ମତରେ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସର୍ବନିମ୍ନ ସମ୍ମାନଜନକ ବସିବା ବ୍ୟବସ୍ଥା ମଧ୍ୟ ନ କରାଯିବା ଦୁର୍ଭାଗ୍ୟଜନକ। ଏହା କେବଳ ସାମ୍ବାଦିକଙ୍କ ପେସାଗତ ମର୍ଯ୍ୟାଦା ନୁହେଁ, ବରଂ ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତି ଦୃଷ୍ଟିଭଙ୍ଗୀକୁ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଏହି ଘଟଣାକୁ ନେଇ କିଛି ବରିଷ୍ଠ ସାମ୍ବାଦିକ ମତ ଦେଇଛନ୍ତି ଯେ, ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ କେବଳ ପ୍ରଚାରର ମାଧ୍ୟମ ଭାବେ ନ ଦେଖି ସେମାନଙ୍କ ପେସାଗତ ମର୍ଯ୍ୟାଦାକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଆୟୋଜକଙ୍କୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।

ତେବେ ଏହି ପ୍ରସଙ୍ଗରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଖବର ଲେଖାଯିବା ସୁଦ୍ଧା କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

Leave a Reply

Your email address will not be published. Required fields are marked *