ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସିଦ୍ଧଳସ୍ଥିତ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ୨୦୨୫ ଅବସରରେ ଏକ ଭବ୍ୟ ସମାରୋହରେ ଲେଖକ ରବିନାରାୟଣ ମହାନ୍ତି (ଅଜ୍ଞାନାନନ୍ଦ)ଙ୍କ ଦ୍ୱାରା ରଚିତ ପୁସ୍ତକ ‘ମାୟା ମୁକୁର’ ଲୋକାର୍ପିତ ହୋଇଯାଇଛି। ଏହି ସାହିତ୍ୟିକ କାର୍ଯ୍ୟକ୍ରମଟି ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ବୌଦ୍ଧିକ ପରିବେଶ ସୃଷ୍ଟି କରିଥିଲା।

ଏହି ଅବସରରେ ଆୟୋଜିତ ସଭାରେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ବୈକୁଣ୍ଠନାଥ ମିଶ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଲେଖକ ଡ. ସୁରେନ୍ଦ୍ରନାଥ ତ୍ରିପାଠୀ ଯୋଗଦେଇ ସାମ୍ପ୍ରତିକ ସମୟରେ ପୁସ୍ତକର ମହତ୍ତ୍ଵ ଓ ଲେଖକଙ୍କ ସାଧନା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ପଣ୍ଡିତ ସୁରେନ୍ଦ୍ରନାଥ ଦାଶଶର୍ମା ଉପସ୍ଥିତ ରହି ‘ମାୟା ମୁକୁର’ ପୁସ୍ତକର ତାତ୍ତ୍ଵିକ ଦିଗ ଉପରେ ନିଜର ମତ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଶିଶିର କୁମାର ତ୍ରିପାଠୀ, ସଂଚାଳକ ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ, ମାର୍ଗଦର୍ଶକ ରାମଚନ୍ଦ୍ର ଦାଶ, ମଞ୍ଚ ପ୍ରତିଷ୍ଠାତା କାଳିକିଙ୍କର ଆଚାର୍ଯ୍ୟ, ସହକାରୀ ସଂଚାଳକ ରୁଦ୍ରପ୍ରସନ୍ନ ପତି, ନଗରଖବରର ପ୍ରତିଷ୍ଠାତା ସଂପାଦକ ପ୍ରଦୀପ ଦାସଙ୍କ ସମେତ ଶ୍ରୀ ଅନୀଲ କୁମାର ଦାଶ, ଶ୍ରୀ ସୁଦର୍ଶନ ଷଡଙ୍ଗୀ ଓ ଶ୍ରୀ କିରଣ କୁମାର ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ମନ୍ଦିରର ସଂପାଦକ ଶ୍ରୀ ଜ୍ୟୋତିରଞ୍ଜନ ପରିଡ଼ା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ। ସାଇସୂର୍ଯ୍ୟ ମହାପାତ୍ର(ଲୁବୁନ୍) ବେଦ ପାଠ କରିଥିଲେ | ଏହି ପୁସ୍ତକ ଲୋକାର୍ପଣ ଉତ୍ସବ ସ୍ଥାନୀୟ ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀଙ୍କ ମହଲରେ ବେଶ୍ ଆଦୃତ ହୋଇଥିଲା। ଏହି ଅବସରରେ କୁନି କୁନି ପିଲାମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତ୍ୟହ ସନ୍ଧ୍ୟାରେ ବାହୁଡା ଯାଏଁ ଚାଲିବ ବୋଲି ମନ୍ଦିର କର୍ତ୍ତୃପକ୍ଷ ଜଣାଇଛନ୍ତି |
