297f7d11 66b4 4c00 Bf47 2eb8070a1600

ଜାତୀୟ ଡାକ୍ତର ଦିବସରେ ବିଶିଷ୍ଟ ଚିକିତ୍ସକ ଡା. ଅବ୍‌ଦୁଲ ହଲିମ ଖାନ୍ ସମ୍ବର୍ଦ୍ଧିତ

ରାଜ୍ୟ
Spread the love

ଓଡ଼ିଶାର ଦୁର୍ଗମ ଅଞ୍ଚଳରୁ ସାଉଦି ଆରବ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସେବାର ଯାତ୍ରା

କଟକ : ଜାତୀୟ ଡାକ୍ତର ଦିବସ ଅବସରରେ ସମାଜ ପ୍ରତି ନିଜର ନିରବଚ୍ଛିନ୍ନ ଓ  ନିସ୍ବାର୍ଥପର ସେବା ପାଇଁ ବିଶିଷ୍ଟ ଚିକିତ୍ସକ ଡାକ୍ତର ଅବ୍‌ଦୁଲ ହଲିମ ଖାନଙ୍କୁ “ନଗର ଖବର” ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଜୁଲାଇ ୧ ତାରିଖରେ ଡାକ୍ତର ଦିବସ ଅବସରରେ ନଗରଖବରର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପ୍ରଦୀପ ଦାସ ଡା. ଖାନଙ୍କୁ ପୁଷ୍ପ ବୃକ୍ଷ ପ୍ରଦାନ କରି ତାଙ୍କର ଦୀର୍ଘ ସେବାମୟ ଜୀବନ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତେଣ୍ଡାକୁଡ଼ା ଗ୍ରାମର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଡା. ଖାନଙ୍କ ପିତାଙ୍କ ନାମ ଅବ୍‌ଦୁଲ ଦୟାନ ଖାନ ଓ ମାତାଙ୍କ ନାମ ଏନା ବିବି। ୧୯୬୮ ମସିହାରେ ହାଇସ୍କୁଲ ଶିକ୍ଷା ସମାପ୍ତ କରି ସେ ରେଭେନ୍ସା ମହାବିଦ୍ୟାଳୟରୁ ଆଇ.ଏସ୍.ସି. ଏବଂ ପରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ଏମ୍.ବି.ବି.ଏସ୍. ଡିଗ୍ରୀ ହାସଲ କରିଥିଲେ। ୧୯୮୭ ମସିହା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରୁ  ମେଡିସିନରେ ଏମଡି ଡିଗ୍ରୀ ହାସଲ କରିଥିଲେ |
ଶିକ୍ଷା ସମାପ୍ତି ପରେ ସେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ ଯୋଗ ଦେଇ ରାଜ୍ୟର ବିଭିନ୍ନ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଜନସାଧାରଣଙ୍କୁ ନିଷ୍ଠାର ସହ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ। ପରବର୍ତ୍ତୀ ସମୟରେ, ୧୯୯୮ ମସିହା ଜାନୁଆରୀ ମାସରେ ସେ ସାଉଦି ଆରବ ଯାତ୍ରା କରି ସେଠାକାର ପୁଲିସ୍ ବିଭାଗରେ ଡାକ୍ତର ଭାବେ କାର୍ଯ୍ୟ କରି ନିଜର ଦକ୍ଷତାର ପରିଚୟ ଦେଇଥିଲେ।
ଦୀର୍ଘ ବର୍ଷର ବିଦେଶ ରହଣି ପରେ ମାତୃଭୂମିର ସେବା ପାଇଁ ସେ ୨୦୧୫ ମସିହାରେ ଓଡ଼ିଶା ଫେରି ଆସିଥିଲେ। ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସେ ପାରାଦୀପସ୍ଥିତ ଆଇଓସିଏଲ (IOCL)ରେ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥିଲେ। ୨୦୧୮ ମସିହାରୁ ସେ କଟକର ଶେଖ ବଜାରସ୍ଥିତ ଚଣ୍ଡୀ ମନ୍ଦିର ନିକଟରେ ନିଜର ଏକ କ୍ଲିନିକ୍ ଖୋଲି ଅଦ୍ୟାବଧି ଜନସାଧାରଣଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି।
ଡାକ୍ତର ଦିବସରେ ଏହି ସମ୍ବର୍ଦ୍ଧନା ପାଇ ଡା. ଖାନ୍ କହିଥିଲେ ଯେ, “ରୋଗୀର ସେବା ହିଁ ମୋ ପାଇଁ ପ୍ରକୃତ ଈଶ୍ୱରଙ୍କ ସେବା। ଜୀବନର ଶେଷ ପର୍ଯ୍ୟନ୍ତ ମୁଁ ଏହି ସେବା ଜାରି ରଖିବି।”

Leave a Reply

Your email address will not be published. Required fields are marked *