ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣା: ୧୫ ଗୁରୁତର

ରାଜ୍ୟ ସମ୍ବଲପୁର
Spread the love

ଯୁଯୁମୁରା ୨୭/୧୨: ସମ୍ବଲପୁର(Sambalpur) ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଏକ ପର୍ଯ୍ୟଟକ ଗାଡ଼ି(Tourist Bus) ଭୟାବହ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଘଟଣାରେ ମୋଟ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ରାଜପଥରେ କିଛି ସମୟ ପର୍ଯ୍ୟନ୍ତ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।

ଆହତମାନଙ୍କ ମଧ୍ୟରୁ ୮ ଜଣଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥିତ ଭିମସାର ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୭ ଜଣ ଆହତଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ ଅନୁସାରେ କିଛି ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ୧୭ ଜଣ ଯାତ୍ରୀ ମା ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ସମ୍ବଲପୁର ଆସୁଥିବା ବେଳେ ଭୋର ପ୍ରାୟ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ପୋଲ ବାଡ଼ରେ ଜୋରଦାର ଧକ୍କା ମାରିଥିବା ଜଣାପଡ଼ିଛି।

ଘଟଣା ସଂପର୍କରେ ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ପଠାଇଥିଲେ। ଏହି ଦୁର୍ଘଟଣାକୁ ନେଇ ଯୁଯୁମୁରା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *