ଭୁବନେଶ୍ବର, ୨୭/୧୨: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନପାଳ ନିରଞ୍ଜନ ଶତପଥୀଙ୍କ ବିରୋଧରେ ଭିଜିଲାନ୍ସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।ଗତକାଲି ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫ଟି ଟିମ୍ ଏକାସାଥିରେ ଭୁବନେଶ୍ବର ଝାରପଡ଼ାସ୍ଥିତ ଆବାସିକ ଘର, କୋରାପୁଟରେ ସରକାରୀ କାର୍ଯ୍ୟାଳୟ ଏବଂ ଜଗତସିଂହପୁରରେ ଥିବା ପୈତୃକ ଘର ସହ ମୋଟ ୫ଟି ସ୍ଥାନରେ ଚଢ଼ଉ କରିଥିଲା।
ଚଢ଼ଉ ବେଳେ ବନପାଳ ନିରଞ୍ଜନ ଶତପଥୀଙ୍କ ଝାରପଡ଼ାରେ ୨ଟି ତିନିମହଲା ବିଳାସପୂର୍ଣ୍ଣ କୋଠା ଠାବ ହୋଇଛି, ଯାହା ୮୧୦୦ ବର୍ଗଫୁଟ ଜମିରେ ନିର୍ମିତ ଓ ଏହାର ବଜାର ମୂଲ୍ୟ ୮ କୋଟି ଟଙ୍କାରୁ ଅଧିକ ବୋଲି ଆନୁମାନ କରାଯାଉଛି। ସେହିପରି କୋରାପୁଟରେ ୧୨୫୦ ବର୍ଗଫୁଟର ଏକ ଘରର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବା ସୂଚନା ମିଳିଛି।
ପ୍ଲଟ୍, ନଗଦ ଓ ବିଦେଶୀ ମୁଦ୍ରା ଜବତ:ଭିଜିଲାନ୍ସ ତଥ୍ୟ ଅନୁସାରେ ରାଜଧାନୀରେ ୨ଟି, ଜଗତସିଂହପୁରରେ ୪ଟି ଏବଂ ସେମିଳିଗୁଡ଼ାରେ ୧ଟି ମିଶି ମୋଟ ୭ଟି ପ୍ଲଟ୍ ଠାବ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା। ଏହା ସହ ଘରୁ ୯.୨୮ ଲକ୍ଷ ଟଙ୍କା ନଗଦ, କେଜିଏ ସୁନା ଗହଣା, ୨୫୦ ଗ୍ରାମ ରୁପା ଗହଣା ଓ ୩୦.୭୫ ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଆମେରିକୀୟ ଡଲାର ସହ ଇଣ୍ଡୋନେସିଆ, ମାକାଉ, ଥାଇଲାଣ୍ଡ, ହଂକଂ, ଭିଏତନାମ, ମାଲେସିଆ ଆଦି ଦେଶର ବିଦେଶୀ ମୁଦ୍ରା ମଧ୍ୟ ମିଳିଛି।
ଚାକିରି ଜୀବନ ଓ ଆଗାମୀ ତଦନ୍ତ:ଟାଟା ହାରିଅର ଗାଡ଼ି, ୩ଟି ବାଇକ୍, ୬୮ ଲକ୍ଷ ଟଙ୍କାର ବ୍ୟାଙ୍କ, ବୀମା ଓ ବଣ୍ଡ୍ ଜମା ମଧ୍ୟ ଭିଜିଲାନ୍ସ ଠାବ କରିଛି। ୧୯୮୮ ମସିହାରେ ମାତ୍ର ୬୨୫ ଟଙ୍କା ଦରମାରେ ଫରେଷ୍ଟ ଗାର୍ଡ ଭାବେ ଚାକିରି ଆରମ୍ଭ କରିଥିବା ନିରଞ୍ଜନ ୨୦୧୪ରେ ବନପାଳ ଭାବେ ପଦୋନ୍ନତି ପାଇଥିଲେ ଏବଂ ଆସନ୍ତା ବର୍ଷ ମେ ମାସରେ ଅବସର ନେବାକୁ ଥିଲା। ଆଶ୍ଚର୍ଯ୍ୟର କଥା ସେ କେବଳ ୩୭ ବର୍ଷ ଧରି କୋରାପୁଟରେ ଚାକିରି କରିଛନ୍ତି।
