ଭୁବନେଶ୍ବର ୨୭/୧୦: ଭାରତର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଗସ୍ତର ପ୍ରଥମ ଦିନ ସେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି।
ସଂସ୍କୃତି ଓ ପରମ୍ପରା ପରିଚୟ ଗସ୍ତଆସନ୍ତାକାଲି କମିସନର ଜ୍ଞାନେଶ କୁମାର ଓଡ଼ିଶାର ପ୍ରସିଦ୍ଧ ଐତିହ୍ୟ ଓ ସଂସ୍କୃତିକ କ୍ଷେତ୍ର ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ବର ମନ୍ଦିର ପରିଦର୍ଶନ କରିବେ। ଏହି ଗସ୍ତ ମାଧ୍ୟମରେ ସେ ଓଡ଼ିଶାର ଐତିହ୍ୟ, କଳା ଓ ପରମ୍ପରାକୁ ନିକଟରୁ ଜାଣିବାର ସୁଯୋଗ ପାଇବେ।
୨୯ ତାରିଖରେ ଭୁବନେଶ୍ବରସ୍ଥିତ OUAT ପରିସରରେ ବୁଥସ୍ତରୀୟ ଅଧିକାରୀ (BLO)ମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ପ୍ରକ୍ରିୟାର ମୂଳ ଆଧାର ଭାବେ କାର୍ଯ୍ୟରତ BLOମାନଙ୍କ ସହ ସିଧାସଳଖ ଆଲୋଚନା କରି ନିର୍ବାଚନ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।
ଓଡ଼ିଶା ଆଗମନ ଅବସରରେ କମିସନର ଜ୍ଞାନେଶ କୁମାର କହିଛନ୍ତି, “ଜୟ ଜଗନ୍ନାଥ, ସମସ୍ତ ଓଡ଼ିଶାବାସୀଙ୍କୁ ମୋର ନମସ୍କାର।” ପରିବାର ସହ ଜଗନ୍ନାଥଙ୍କ ଦର୍ଶନ, ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଜାଣିବା ସହ ନିର୍ବାଚନ ପ୍ରକ୍ରିୟାର ଆଧାର ସ୍ତମ୍ଭ ବୁଥସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପାଇଁ ମୁଁ ଏଠାକୁ ଆସିଛି। “ଜୟ ଭାରତ, ଜୟ ହିନ୍ଦ”।
