ମାର୍କେଟ କମ୍ପ୍ଲେକ୍ସ ଘର ଭୁଶୁଡ଼ି ଦୋକାନ ମାଲିକ ଲୋକନାଥ ପାତ୍ରଙ୍କ ମୃତ୍ୟୁ

କୋରାପୁଟ ରାଜ୍ୟ
Spread the love

କୋରାପୁଟ,୧୩/୯: କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟ ତଥା ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସର ୨ଟି ଦୋକାନ ଘର ଭୁଶୁଡ଼ି ଶନିବାର ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦୋକାନ ମାଲିକ ଲୋକନାଥ ପାତ୍ର(୬୨)। ଅନ୍ୟ ୩ଜଣ ଘଟଣାରୁ ବର୍ତ୍ତିଯାଇଛନ୍ତି।
ଦୋକାନ ମାଲିକ ଲୋକନାଥ ପାତ୍ର କେତେଜଣ ଶ୍ରମିକଙ୍କୁ ନେଇ ଦଶହରା ପୂର୍ବରୁ ଦୋକାନ ସଫା କରୁଥିଲେ। ଏହି ସମୟରେ ଶ୍ରମିକମାନେ ଡ୍ରିଲିଂ କାର୍ଯ୍ୟ କରୁଥିବା ବେଳେ ଗୋଟିଏ କୋଠାର ଦୁଇଟି ଦୋକାନ ଛାତ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଦୋକାନରେ ଥିବା ଲୋକନାଥଙ୍କ ଭାଇ ଓ ୨ ଶ୍ରମିକ ଭାଙ୍ଗିବା ଶବ୍ଦ ଶୁଣି ବାହାରକୁ ବାହାରି ଆସିଥିଲେ। କିନ୍ତୁ ଲୋକନାଥ ଦୋକାନ ଭିତରେ ରହିଯାଇଥିବାରୁ ସେ ଛାତ ତଳେ ଚାପି ହୋଇଯାଇଥିଲେ ।

କୋରାପୁଟ ଜିଲା ଏସ୍‌ପି ରୋହିତ ବର୍ମା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ପରେ ଓଏସ୍‌ଏପି ତୃତୀୟ ବାଟାଲିଆନ ଓଡ୍ରାଫ ଟିମ୍‌, ଅଗ୍ନିଶମ ବାହିନୀ ଓ କୋରାପୁଟ ଟାଉନ ପୋଲିସ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିଥିଲେ। ଘଟଣାର ଏକ ଘଣ୍ଟା ପରେ ଲୋକନାଥଙ୍କୁ ଗୁରୁତର ଅବସ୍ଥାରେ ଛାତ ତଳୁ ଉଦ୍ଧାର କରାଯାଇଥିଲା ।

ତାଙ୍କୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ କୋରାପୁଟ ବିଧାୟକ ରଘୁରାମ ମାଛ, ପ୍ରୋବେସନାରି ଆଇଏଏସ୍‌ ଅଫିସର ସନ୍ତୋଷ ପାତ୍ର, ଉପଜିଲାପାଳ ପ୍ରେମଲାଲ ହିଆଲ, ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୋଲିସ ଏସ୍‌ଡିପିଓ ଏବଂ ଟାଉନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ରବିବାର ମାର୍କେଟ କମ୍ପ୍ଲେକ୍ସର ଅନ୍ୟ ଦୋକାନ ଗୃହଗୁଡ଼ିକ ଯାଞ୍ଚ କରାଯାଇ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍‌ପି ବର୍ମା ଓ ଉପଜିଲାପାଳ ହିଆଲ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ ଲୋକନାଥଙ୍କ ପରିବାର ଲୋକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ତହସିଲଦାର ଏସ୍‌. ସବୀର ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *