କଟକ : ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଗତ କାଲି ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଇ° ବିଜୟ କୁମାର ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଲେଶ୍ୱର, ଜଗତସିଂହପୁର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ଗଞ୍ଜାମ ଏବଂ କଟକ ଜିଲ୍ଲାରୁ ୩୭ ଜଣ କର୍ମକର୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ତଥା ଜାତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ୮୦ ଲକ୍ଷ ଇପିଏଫ ପେନସନଭୋଗୀ ବରିଷ୍ଠ ନାଗରିକମାନେ ସାମ୍ନା କରୁଥିବା ସର୍ବନିମ୍ନ ପେନସନ ଓ ବର୍ଦ୍ଧିତ ପେନସନ ସମସ୍ୟା ବାବଦରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବିଶେଷ କରି ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦଳର ତତ୍କାଳୀନ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ପ୍ରକାଶ ଜାଭେଦକର ୨୦୧୪ ମସିହା ଜାନୁଆରୀ ୧୫ ତାରିଖରେ ଦିଲ୍ଲୀ ଠାରେ ପ୍ରେସ କନଫରେନ୍ସ କରି ବିଜେପି ଦଳ କ୍ଷମତାକୁ ଆସିଲେ ଇପିଏଫ ପେନସନ ଭୋଗୀଙ୍କ ସର୍ବନିମ୍ନ ମାସିକ ପେନସନ ୩ ହଜାର ଟଙ୍କା ସହ ଦରଦାମ ବୃଦ୍ଧିର ଭରଣା ଲାଗି ମହଙ୍ଗାଭତ୍ତା ଦେବାକୁ ପ୍ରତିଶୃତି ଦେଇଥିଲେ।
ମାତ୍ର ବିଡମ୍ବନାର ବିଷୟ ଏହିକି ଇତି ମଧ୍ୟରେ ୧୧ବର୍ଷ ବିତିଯାଇଥିଲେ ମଧ୍ୟ ଦଳ ତରଫରୁ ଦିଆଯାଇଥିବା ନିର୍ବାଚନୀ ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି। ଯାହା ଫଳରେ ସେପ୍ଟେମ୍ବର ୨୦୧୪ରୁ ମିଳୁଥିବା ବିନା ମହଙ୍ଗାଭତ୍ତାରେ ସର୍ବନିମ୍ନ ମାସିକ ପେନସନ ଏକ ହଜାର ଟଙ୍କାକୁ ଏପର୍ଯ୍ୟନ୍ତ ବୃଦ୍ଧି କରା ଯାଉନାହିଁ। କେନ୍ଦ୍ର ସରକାର ସେମାନଙ୍କ କର୍ମଚାରୀ ମାନଙ୍କୁ ଦେଉଥିବା ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା ସହ ମହଙ୍ଗାଭତ୍ତା ଅନୁରୂପ ଭାବେ ଇପିଏଫ ପେନସନ ଭୋଗୀଙ୍କୁ ଦେବା ଲାଗି ଦେଶର ସମସ୍ତ ଇପିଏଫ ପେନସନଭୋଗୀ ସଂଗଠନ, କେନ୍ଦ୍ରୀୟ ଶ୍ରମିକ ସଂଗଠନ, ବିଭିନ୍ନ ରାଜନୈତିକ ଦଳ ଏବଂ ଉଭୟ ଗୃହର ସାଂସଦ ଦୀର୍ଘବର୍ଷ ଧରି ଦାବୀକରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପ୍ରତି ଆଦୌ କର୍ଣ୍ଣପାତ ନ କରିବା ଅତୀବ ଦୁଃଖର ବିଷୟ ବୋଲି ଶ୍ରୀ ବ୍ରହ୍ମା ପ୍ରକାଶ କରିଥିଲେ। ସେହିଭଳି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ ଅନୁଯାୟୀ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବର୍ଦ୍ଧିତ ପେନସନ ପ୍ରଦାନ କ୍ଷେତ୍ରରେ ଇପିଏଫ କର୍ତ୍ତୃପକ୍ଷ ଅହେତୁକ ବିଳମ୍ବ କରିବା ସହ ନାନା ପ୍ରକାର ହଇରାଣ ହରକତ କରୁଥିବାରୁ ଉପସ୍ଥିତ କର୍ମକର୍ତ୍ତା ମାନେ ଘୋର ଉଦବେଗ ପ୍ରକାଶ କରିଥିଲେ। ଇପିଏଫ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏ ବାବଦରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ସହ ଆଇନର ଆଶ୍ରୟ ନେବାଲାଗି ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ନଟବର ଆଚାର୍ଯ୍ୟ, ମୁକ୍ତିକାନ୍ତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରଫୁଲ କୁମାର ଦାସ, ବିଷ୍ଣୁ ପ୍ରସାଦ ମହାନ୍ତି, ନିଗମ କର୍ମଚାରୀ ମହାସଂଘର ସଭାପତି ସରୋଜକାନ୍ତ ମଲ୍ଲିକ , ଗୀତାଞ୍ଜଳି ପାତ୍ର, ଉର୍ବଶୀ ମିଶ୍ର, ଅକ୍ଷୟ କୁମାର ବିଶ୍ୱାଳ, କୃଷ୍ଣଚନ୍ଦ୍ର ମହାନ୍ତି, ଧୀରେନ୍ଦ୍ର ପ୍ରତାପ, ବିନୋଦ ବେହେରା, ବୁଲେଇ ବେହେରା, ପ୍ରକାଶ ପଟନାୟକ, ଅଲେଖ ରାଉତ, କୃଷ୍ଣ ଚନ୍ଦ୍ର ସାହୁ, ଦେବେନ୍ଦ୍ର ସାହୁ, ନିରଞ୍ଜନ ପରିଡା, ରଘୁନାଥ ବରାଳ, ଅଧିବାସ ସାହୁ, ପ୍ରଶାନ୍ତ ବିଶ୍ୱାଳ, ଅଭୟ ଦାସ, ନିମାଇଁ କାନୁନଗୋ, ରାମଚନ୍ଦ୍ର ପଣ୍ଡା, ରଞ୍ଜନ ଦାସ ଓ ମୁରଲୀଧର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଗୌରାଙ୍ଗ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।
