ଦ୍ଵାଦଶାହରେ ସ୍ମୃତିସଭା, ଉନ୍ମୋଚିତ ହେଲା ସ୍ମରଣିକା ‘ମହନୀୟ ମୂରଲୀଧର’
ଜଗତସିଂହପୁର/ଝଙ୍କଡ : କ୍ରାନ୍ତିକାରୀ ଜନନେତା, ପରୋପକାରୀ, ଦୁର୍ବାର ସାହସୀ, ସରଳ ଓ ଅମାୟିକ ବ୍ୟକ୍ତିତ୍ୱ ସ୍ବର୍ଗତ ମୂରଲୀଧର ରଥଙ୍କ ଦ୍ଵାଦଶାହ ଉପଲକ୍ଷେ ପୁରୋହିତପୁରସ୍ଥିତ ବିଣାପାଣି କୋର୍ଟୱାର୍ଡ ପରିସରରେ ଗତ ବୁଧବାର ଦିନ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ବାଣୀକ୍ଷେତ୍ରର ମୁଦୁପୁର ପଞ୍ଚାୟତ ଅଧୀନ ଚାନ୍ଦପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ସ୍ବର୍ଗତ ରଥ ତିର୍ତ୍ତୋଲ ବ୍ଲକର ପଟିଲୋ ପଞ୍ଚାୟତ ଅନ୍ତର୍ଗତ ମହିଲୋ ଗ୍ରାମକୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ।
ବିଶିଷ୍ଟ ସାରସ୍ୱତ ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ମୁରଲୀଧର ରଥ ଚାରିଟେବୁଲ ଟ୍ରଷ୍ଟ’ର ସମ୍ପାଦକ ତଥା ଆଇନଜୀବୀ ଡଃ ବୀରନାରାୟଣ ପାତ୍ର ସ୍ୱାଗତ ଭାଷଣ ଦେବା ସହ ନିମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ରଥଙ୍କ ଅପ୍ରତିହତ ରାଜନୈତିକ ଜୀବନ, ଅତୁଳନୀୟ ସମାଜସେବା, ଧାର୍ମିକ ଅନୁଷ୍ଠାନ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ସ୍ମୃତିଚାରଣ କରିବା ସହ ନିଜ ନିଜର ଅନୁଭୂତି ବର୍ଣ୍ଣନା କରି ଭାବବିହ୍ଵଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ନାଇଜରର ପ୍ରାକ୍ତନ କୁଳସଚିବ ଡଃ ଅଭୟ ନାୟକ, ସାମ୍ବାଦିକ ଗୌରାଙ୍ଗ ଚରଣ ହୋତା, ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ଇଂ ବିଷ୍ଣୁ ଚରଣ ସ୍ୱାଇଁ, ସତ୍ୟବ୍ରତ ମହାପାତ୍ର, ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ଭୂୟାଁ, ସାମ୍ୱାଦିକ ପ୍ରଦୀପ୍ତ ଚୌଧୁରୀ, ପଣ୍ଡିତ ସଦାଶିବ ଦାଶ, ଜ୍ଞାନରଞ୍ଜନ ମହାନ୍ତି, ନିରଞ୍ଜନ ନାୟକ, ନିମାଇଁ ଦାସ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କ ସମେତ ବହୁ ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ‘ମହନୀୟ ମୂରଲୀଧର’ ଶୀର୍ଷକ ଏକ ସ୍ମରଣିକାକୁ ଉପସ୍ଥିତ ଅତିଥିମାନେ ଉନ୍ମୋଚନ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ବର୍ଗତ ରଥଙ୍କ ସୁପୁତ୍ର ଶରତ କୁମାର ରଥ, ହେମନ୍ତ କୁମାର ରଥ ଓ ପ୍ରଫୁଲ୍ଲ କୁମାର ରଥଙ୍କ ସମେତ ଡଃ ଯଜ୍ଞଦତ୍ତ ରଥ, ବିଭୁ ଦତ୍ତ ରଥ, ଦେବୀ ଦତ୍ତ, ନାରାୟଣ, ଦୁର୍ଗା ଦତ୍ତ, ଦତ୍ତାତ୍ରେୟ, ଧନ, ରତ୍ନ, ଆନ୍ ଇଭାନ୍ ଓ ଟିକୁ ପ୍ରମୁଖ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
