କଟକ ସଦର : ସ୍ଥାନୀୟ ଅଞ୍ଚଳରେ ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ହାର୍ଟସ ୟୁନାଇଟେଡ ଟୁ ଗଡ୍ (HUG) ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଧ୍ୟାନକୁଦ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ଦେବୀ ନଦୀ ପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟମାନେ ଏବଂ ସ୍ଥାନୀୟ ଯୁବକମାନେ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଶ୍ରୀ ସୁଧାଂଶୁ କୁମାର ସାହୁ ଏବଂ ଟ୍ରଷ୍ଟି ଶ୍ରୀ ପାର୍ଥସାରଥୀ କରଙ୍କ ନେତୃତ୍ୱରେ ସୂର୍ଯ୍ୟସ୍ମାନ ମହାରଣା, ରାମଚନ୍ଦ୍ର ମଲ୍ଲିକ, ପ୍ରିୟଙ୍କା ରଥ, ଜୟରାମ ପାଇଟାଳ, ରାଜକୁମାର ବାରିକ ଏବଂ ସ୍ୱସ୍ତିକ ସାହୁ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।
ପ୍ରଭାତର ଶାନ୍ତ ପରିବେଶରେ ସମସ୍ତେ ଏକାଠି ହୋଇ ନଦୀ ପଠା ଏବଂ ମନ୍ଦିର ଚତୁଃପାର୍ଶ୍ଵରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫା କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପବିତ୍ର ନଦୀ ପଠାକୁ ପ୍ରଦୂଷଣମୁକ୍ତ ରଖିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବା ।
ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଶ୍ରୀ ସାହୁ କହିଛନ୍ତି ଯେ, “ଆମ ଟ୍ରଷ୍ଟ ସର୍ବଦା ସମାଜ କଲ୍ୟାଣମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛି ଏବଂ ପରିବେଶ ସୁରକ୍ଷା ଆମର ଲକ୍ଷ୍ୟ । ଆଗାମୀ ଦିନରେ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ଜାରି ରହିବ ।”
ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦାମାନେ ଭୂୟସୀ ପ୍ରଶଂସା କରିବା ସହ ଏଥିରେ ସାମିଲ ହୋଇଥିବା ଯୁବକଯୁବତୀମାନଙ୍କୁ ଉତ୍ସାହିତ କରିଥିଲେ । ଏହିପରି କାର୍ଯ୍ୟକ୍ରମ ଦ୍ୱାରା ଅନ୍ୟମାନେ ମଧ୍ୟ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାକୁ ପ୍ରେରଣା ପାଇବେ ବୋଲି ଆଶା କରାଯାଏ ।
