Crocodile

ଘରେ ପଶିଛି ବନ୍ୟାପାଣି, ନିଦ ହଜେଇଛନ୍ତି କୁମ୍ଭୀର ପଲ

ରାଜ୍ୟ
Spread the love

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଏବେ ଲୋକଙ୍କ ଜୀବନ ଦୁର୍ବିସହ କରିଛି । ବ୍ରାହ୍ମଣୀ ନଦୀ ଉଛୁଳି ପାଣି ଗାଁ ଭିତରକୁ ପ୍ରବେଶ କରିଛି, ଯାହା ପଟ୍ଟାମୁଣ୍ଡାଇ ବ୍ଲକ ଏବଂ ଚୌଡାକୁଲତ ଅଞ୍ଚଳର ଅନେକ ଗାଁକୁ ବୁଡ଼ାଇ ଦେଇଛି । ହେଲେ ଏଥର କେବଳ ବନ୍ୟା ଯେତିକି ଚିନ୍ତା ନବଢାଇଛି, ସେତିକି ଜିନ୍ତା ବଢାଇଛି ବନ୍ୟାପାଣି ଭିତରେ ଗାଁରେ ବୁଲୁଥିବା କୁମ୍ଭୀର । ଯାହା ଏବେ ଉକ୍ତ ଅଞ୍ଚଳରେ ଲୋକଙ୍କୁ ଭୟଭୀତ କରି ରଖିଛି ।

ଅନେକ ଗାଁର ବୁଡ଼ି ରହିଥିବା ବେଳେ ରାସ୍ତାରେ କୁମ୍ଭୀର ପଲ ପହଁରୁଥିବା ଦୃଶ୍ୟ ଦେଖାଯାଇଥିଲା । ବନ୍ୟା ପାଣି ଜଙ୍ଗଲ ଏବଂ ନଦୀର କୂଳ ଭାଙ୍ଗି ଗାଁ ଆଡକୁ ଆସିବା ପରେ କୁମ୍ଭୀର ମଧ୍ୟ ପାଣି ସହ ଗାଁ ଆଡେ ମୁହାଁଇଛନ୍ତି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଛି । ବଡ଼ ବଡ଼ କୁମ୍ଭୀର ପାଣିରେ ଭାସୁଥିବା ବେଳେ ଲୋକମାନେ ଏବେ ଏତେ ଭୟଭୀତ ଯେ ସେମାନେ ଘରୁ ବାହାରିବା ଏଡ଼ାଇ ଯାଉଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି କୁମ୍ଭୀର ଆକ୍ରମଣର ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ, କିନ୍ତୁ ବିପଦ ରହିଛି । ବନ ବିଭାଗ ଲୋକଙ୍କୁ ବନ୍ୟା ପାଣିରେ ପ୍ରବେଶ ନ କରିବାକୁ ଏବଂ ସେମାନଙ୍କ ଆଖପାଖ ପ୍ରତି ସତର୍କ ରହିବାକୁ ସତର୍କ କରୁଛି। ଏହା ବ୍ୟତୀତ, ସଚେତନତା ଅଭିଯାନ ମଧ୍ୟ ଚାଲିଛି ଯାହା ଦ୍ୱାରା ଲୋକମାନେ କେବଳ କୁମ୍ଭୀର ପ୍ରତି ନୁହେଁ ବରଂ ବନ୍ୟା ପାଣିରେ ବୁଲୁଥିବା ବିଷାକ୍ତ ସାପ ପ୍ରତି ମଧ୍ୟ ସତର୍କ ରହିବେ ।

ତେବେ ବ୍ରାହ୍ମଣୀ ବନ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ର ୧୨ଟି ପଞ୍ଚାୟତର ୫୦ ହଜାର ଲୋକ ଜଳବନ୍ଦି ଅବସ୍ଥାରେ ରହିଛନ୍ତି। ଗତ ୪ ଦିନ ହେଲା ପାଣି ଛାଡୁ ନଥିବାରୁ ପିଇବା ପାଣି ଓ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ । ତା ସାଙ୍ଗକୁ ପୁଣି  କୁମ୍ଭୀର ଭୟ । ପଟ୍ଟାମୁଣ୍ଡାଇ ଅଳଭାରେ ବ୍ରାହ୍ମଣୀ ନଦୀର ବିପଦ ସଂକେତ ୧୬ ଫୁଟ ଥିଲା ବେଳେ, ଗତକାଲି ସନ୍ଧ୍ୟାରେ ଜଳସ୍ତର ୧୮.୨ ଫୁଟ ରହିଛି। ଉପାନ୍ତ ଅଞ୍ଚଳରେ ଥିବା ସିଂହଗାଁ ପଞ୍ଚାୟତ ୩ଟି ନଦୀର ବନ୍ୟାରେ ପ୍ରଭାବିତ ହୋଇ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି। ଏହି ପଞ୍ଚାୟତର କୃଷ୍ଣଦାସପୁର, ରାଉଳିଆ, ବଡ଼ରାଉଳିଆ, ସିଂହଗାଁ ସମେତ ୫ଟି ଗ୍ରାମର ୭୦ ପ୍ରତିଶତ ଲୋକଙ୍କ ଘରେ ପାଣି ପଶିଯାଇଛି। ଗାଁ ଭିତରେ ଥିବା ନଳକୂପ ପାଣିରେ ବୁଡ଼ି ରହିଛି। ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବୁଡ଼ିଯିବା ଯୋଗୁ ବିପନ୍ନମାନେ କୋଠାଘରମାନଙ୍କରେ ଆଶ୍ରୟ ନେଇଛନ୍ତି।

ସେପଟେ ଜିଲ୍ଲା ପ୍ରଶାସନ ରିଲିଫ୍ କାର୍ଯ୍ୟରେ ନିୟୋଜିତ ରହିଛି । ଏପର୍ଯ୍ୟନ୍ତ ୩୦ ରୁ ଅଧିକ ବନ୍ୟା ପ୍ରଭାବିତ ଗାଁକୁ ଶୁଖିଲା ରାସନ ଏବଂ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯାଉଛି । ହେଲେ ଏବେ ବି ଅନେକ ସ୍ଥାନରେ ସହାୟତା ପହଞ୍ଚିନଥିବା ବେଳେ କେବଳ ବନ୍ୟାପାଣି ପିଇ ଗଜୀବନ ବଞ୍ଚାଇଥିବା ଅଭିଯୋଗ ହୋଇଛି । ଅନେକସ୍ଥାନରେ ଚୁଲି ଓ ଗ୍ୟାସ୍‌ ଅଭାବରୁ ରନ୍ଧାଖାଦ୍ୟ ଖାଇ ନ ପାରି କେବଳ ବନ୍ୟାପାଣି ପିଇ ଜୀବନ ବଞ୍ଚାଇଛନ୍ତି। ଘରେ ଥିବା ଧାନଚାଉଳ ସବୁ ପାଣିରେ ବୁଡ଼ି ରହିଛି। ଲୋକ ଏବେ ଶୌଚ ବି ହୋଇ ପାରୁନାହାନ୍ତି ।

ସେପଟେ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ ୨୪ ଜୁଲାଇ ପାଖାପାଖି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହି କାରଣରୁ ୨୩ ଜୁଲାଇରୁ ଓଡ଼ିଶାର ଅନେକ ସ୍ଥାନରେ, ବିଶେଷକରି ଉପକୂଳ ଏବଂ ଉତ୍ତର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ, କେନ୍ଦ୍ରାପଡ଼ାର ପରିସ୍ଥିତି ଆହୁରି ଖରାପ ହୋଇପାରେ। ଲୋକମାନେ ବନ୍ୟା ଯୋଗୁଁ ପୂର୍ବରୁ ଅସୁବିଧାରେ ପଡ଼ିଛନ୍ତି, ତା’ ଉପରେ କୁମ୍ଭୀରଙ୍କ ଉପସ୍ଥିତି ଭୟକୁ ବୃଦ୍ଧି କରିଛି। ଯାହା ଆଗାମୀ ଦିନଗୁଡ଼ିକ ପ୍ରଶାସନ ଏବଂ ଲୋକଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜିଂ ହୋଇପାରେ।

Leave a Reply

Your email address will not be published. Required fields are marked *