1e5f7ced 9a23 4c6a B57b B939f6e87124

ଅମର ସ୍ରଷ୍ଟା ମନୋରଞ୍ଜନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି: ସ୍ମୃତିଚାରଣ କଲା ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ

ରାଜ୍ୟ
Spread the love

କଟକ ସଦର : ଓଡ଼ିଆ ନାଟ୍ୟ ଜଗତର କିମ୍ବଦନ୍ତୀ ପୁରୁଷ, ପଦ୍ମଶ୍ରୀ ଡକ୍ଟର ମନୋରଞ୍ଜନ ଦାସଙ୍କୁ ତାଙ୍କ ଜନ୍ମମାଟି ୪୨ ମୌଜାର ପଟଣା ଗ୍ରାମରେ ଏକ ଭାବଗମ୍ଭୀର ପରିବେଶରେ ସ୍ମରଣ କରାଯାଇଛି। ସାମାଜିକ ସଂଗଠନ ‘ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ’ ପକ୍ଷରୁ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କର ଅବଦାନକୁ ମନେ ପକାଇ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।

ଡକ୍ଟର ଦାସ କେବଳ ପଟଣା ଗ୍ରାମର ନୁହେଁ, ବରଂ ସମଗ୍ର ଓଡ଼ିଶାର ଗର୍ବ ଓ ଗୌରବ ଥିଲେ। ‘କାଠ ଘୋଡ଼ା’, ‘ଅରଣ୍ୟ ଫସଲ’, ‘ଆଗାମୀ’, ‘ଅଗଷ୍ଟ ୯’, ‘ବକ୍ସି ଜଗବନ୍ଧୁ’, ‘ନନ୍ଦିକା କେଶରୀ’ ଏବଂ ‘ବନହଂସୀ’ ଭଳି ପ୍ରାୟ ୩୦ରୁ ଅଧିକ କାଳଜୟୀ ନାଟକ ସେ ଓଡ଼ିଆ ସାହିତ୍ୟକୁ ଭେଟି ଦେଇଛନ୍ତି। ତାଙ୍କ ଆତ୍ମଜୀବନୀ ‘ସ୍ମୃତି ସଂଳାପ’ ପାଇଁ ମଧ୍ୟ ସେ ବେଶ୍ ଚର୍ଚ୍ଚିତ। ନିଜର ଅନନ୍ୟ ସୃଷ୍ଟି ପାଇଁ ସେ ପଦ୍ମଶ୍ରୀ (୨୦୦୪), କେନ୍ଦ୍ର ସାହିତ୍ୟ ଏକାଡେମୀ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଶାରଳା ପୁରସ୍କାର ଭଳି ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସଭାପତି ସରୋଜ ନଳିନୀ ପରିଜା, ଉପଦେଷ୍ଟା ଇଂ. ସେବକ ଶ୍ରୀକାନ୍ତ, କାର୍ଯ୍ୟକାରୀ ସଭାପତି ଶିକ୍ଷକରତ୍ନ ଅଭୟ ଦାସ, ମହାସଚିବ ରୁଦ୍ର ନାରାୟଣ ଦାସ, ଆଦର୍ଶ ଶିକ୍ଷକ ମିହିର ନାୟକ ଓ ସନ୍ତୋଷ ଭୋଇ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ। ସେମାନଙ୍କ ସହିତ ‘ଶ୍ରୀ ଜଗନ୍ନାଥ ଷ୍ଟଡି ସର୍କଲ’ର ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ରହି ସେହି ମହାନ ପ୍ରତିଭାଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଶେଷରେ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *