ଜଗତସିଂହପୁର/ତିର୍ତ୍ତୋଲ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିର୍ତ୍ତୋଲସ୍ଥିତ ଶାରଳା ମେସ ରେ ଗତ ମାଘମାସ ଶେଷ ଗୁରୁବାର ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ସାର୍ବଜନୀନ ଶାରଳା ମେଳା ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ପ୍ରାତଃ ସମୟରେ ଝଙ୍କଡ଼ ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଠାକୁରାଣୀ ଙ୍କର ମାର୍ଜ୍ଜନା ଓ ପୂଜାର୍ଚନା ପରେ ଅଖଣ୍ଡଜ୍ୟୋତି ଓ ଆଜ୍ଞାମାଳ ମେଳାସ୍ଥଳରେ ପହଞ୍ଚିଥିଲା | ଝୁଲାବଣ ମଠ ନିକଟସ୍ଥ ଉତ୍କଳଗଙ୍ଗା ପୂର୍ଣ୍ଣତୋୟା ମହାନଦୀରୁ ଏକ ବିଶାଳ କଳସ ଶୋଭାଯାତ୍ରା ମେଳାସ୍ଥଳକୁ ଆସିବା ପଥରେ ଘଣ୍ଟ ଘଣ୍ଟା କାହାଳୀ ହରିବୋଲ ହୁଳହୁଳି ଓ ଜୟମା ଶାରଳା ଧ୍ୱନିରେ ତିର୍ତ୍ତୋଲ ର ରାଜରାସ୍ତା ପ୍ରକମ୍ପିତ ହୋଇ ଉଠିଥିଲା |ଏହି ଶୋଭାଯାତ୍ରାରେ କଳାକାର ଲକ୍ଷ୍ମୀକାନ୍ତ କ୍ରିଷ୍ଣା ଙ୍କର ଶାସ୍ତ୍ରୀୟ ନୃତ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲା |
ମେଳା ମଣ୍ଡପରେ ମା ଶାରଳାଙ୍କୁ କମନୀୟ ବେଶରେ ସଜ୍ଜିତ କରାଯାଇଥିବା ବେଳେ, ମୁଖ୍ୟ ଆଚାର୍ଯ୍ୟ ପରମାନନ୍ଦ ଆଚାର୍ଯ୍ୟ, ପୁସ୍ତକାଚାର୍ଯ୍ୟ ଅନନ୍ତ ପ୍ରସାଦ କର ଓ ସହଯୋଗୀ ବିଶ୍ୱଜିତ ପଣ୍ଡାଙ୍କ ସମେତ ଶାରଳା ସେବାୟତ ମାନଙ୍କର ସକ୍ରିୟ ଅଂଶ ଗ୍ରହଣରେ ଷୋଡଶ ଉପଚାର ପୂଜା, ଯଜ୍ଞରେ ଆହୁତି ପ୍ରଦାନ, ଓ ସପ୍ତଶତି ଚଣ୍ଡିର ମନ୍ତ୍ର ଧ୍ୱନିର ସୁମଧୁର ସୁରଝଙ୍କାର ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା |
ନିତ୍ୟ ସୁନ୍ଦର ସ୍ୱାଇଁ କର୍ତ୍ତା ଭାବରେ ଦାୟିତ୍ୱ ସମ୍ପନ୍ନ କରିଥିବା ବେଳେ, ଶାରଳା ମେସ ର ମୁଖ୍ୟ ପରିଚାଳକ ଜଗନ୍ନାଥ ଦାସ (ବୁବୁଲା ସାର ) ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଜ୍ଞାନ ଯଜ୍ଞ ରେ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ମାଆ ଶାରଳାଙ୍କ ଆବିର୍ଭାବ, ମହିମା, ଓ ଇତିବୃତ୍ତି ସହିତ ମାଆ ଙ୍କର ବରପୁତ୍ର ଆଦିକବି ସାରଳା ଦାସଙ୍କ ଦେବୀ କୃପାଲାଭ ବିଷୟରେ ତଥ୍ୟ ସମ୍ଭଳିତ ଓ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରି ସମବେତ ଛାତ୍ରଛାତ୍ରୀ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଦେଇଥିଲେ | ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି ଶାରଳା ମେଳା ଉତ୍ସବ କୁ ପରିଚାଳନା କରିବା କ୍ଷେତ୍ରରେ ଶହସ୍ରାଧିକ ଅନ୍ତେବାସୀ ଛାତ୍ରଛାତ୍ରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା |