Whatsapp Image 2025 08 29 At 16.41.28 1068x712

ଓଡ଼ିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ସମ୍ବର୍ଦ୍ଧିତ

ରାଜ୍ୟ
Spread the love

କଟକ : କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କଟକ ଆଇପିଏସ ମେସସ୍ଥିତ ଆର.କେ. ପାଢ଼ୀ ମେମୋରିଆଲ ହଲଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହରେ ଡିଜିପି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ପୋଲିସର କ୍ରୀଡ଼ାବିତଙ୍କ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତାର ଭୁୟସୀ ପ୍ରଶଂସା କରିଥିଲେ। ଏଥି ନିମନ୍ତେ ବିଗତ ଦିନରେ ସାରା ଦେଶରେ ଓଡିଶା ପୋଲିସର ସୁନାମ ବୃଦ୍ଧି ପାଇଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ।
ଏହି ସମ୍ବର୍ଦ୍ଧନା ସମାରୋହ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ଆମେରିକାର ବର୍ମିଂହାମଠାରେ ଅନୁଷ୍ଠିତ ହେଇଥିବା ବିଶ୍ଵ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ପୋଲିସର ୭ ଜଣ କ୍ରୀଡାବିତଙ୍କ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ମଧ୍ୟ ଡିଜିପି ଉଲ୍ଲେଖ କରିଥିଲେ। ଏହି କ୍ରୀଡ଼ାବିତମାନେ ନିଜର ଦକ୍ଷତା ପ୍ରତିପାଦନ କରି ୧୩ ଗୋଟି ସ୍ଵର୍ଣ, ୩ ଗୋଟି ରୌପ୍ୟ ଏବଂ ୪ ଗୋଟି କାଂସ୍ୟ ପଦକ ବିଜୟ ହୋଇ ଖେଳ ଜଗତରେ ନୂଆ ଇତିହାସ ସୃଷ୍ଟି କରିବା ସହିତ ଓଡ଼ିଶା ପୋଲିସକୁ ଗୌରବମଣ୍ଡିତ କରିଛନ୍ତି ବୋଲି ସେ କହିଥିଲେ ।
ଆଗାମୀ ଦିନରେ ମଧ୍ୟ ଅନ୍ୟ କ୍ରୀଡ଼ାବିତମାନେ ମଧ୍ୟ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରରେ ଅଂଶଗ୍ରହଣ କରି ଓଡିଶା ପୋଲିସର ଗୌରବ ବୃଦ୍ଧି କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ଡିଜିପି ୪୧ ଜଣ କ୍ରୀଡ଼ାବିତଙ୍କୁ ଉତ୍ତରୀୟ, ନଗଦ ଅର୍ଥ ରାଶି ପ୍ରଦାନ କରିବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Leave a Reply

Your email address will not be published. Required fields are marked *