ବାଣୀକ୍ଷେତ୍ର ଝଙ୍କଡ ଶାରଳା ପୀଠରେ ପାଳିତ ହେବ ଆଦିକବି ସାରଳାଦାସଙ୍କ ସ୍ମୃତିରେ ଜାତୀୟ ସାହିତ୍ୟ ଉତ୍ସବ “ବାଣୀପର୍ବ”

ରାଜ୍ୟ
Spread the love

ଝଙ୍କଡ,୧/୯: ନୂଆଦିଲ୍ଲୀ ସ୍ଥିତ ପ୍ରବାସୀ ଓଡ଼ିଆ ବୁଦ୍ଧିଜୀବୀ ସଂଗଠନ ‘ଦି ଇଣ୍ଟେଲେକ୍ଟସ” ଆନୁକୂଲ୍ୟରେ ଜଗତସିଂହପୁର ଡେଭଲପମେଣ୍ଟ ଫୋରମ ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ସାହିତ୍ୟ ଅନୁଷ୍ଠାନ ଗୁଡିକର ମିଳିତ ପ୍ରୟାସରେ ଆଦିକବି ଶାରଳା ଦାସଙ୍କ ସ୍ମୃତିରେ ଆୟୋଜିତ ହେବ ଜାତୀୟ ସାହିତ୍ୟ ମହୋତ୍ସବ “ବାଣୀପର୍ବ”| ଶିକ୍ଷାବିତ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ୱରେ ଏହି ସାହିତ୍ୟି ଉତ୍ସବରେ, ଓଡ଼ିଆ ସାହିତ୍ୟର ସମସ୍ତ ବିଶିଷ୍ଟ ବ୍ୟକ୍ତିତ୍ଵ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ସାହିତ୍ୟିକ, ନେତୃମଣ୍ଡଳୀ, ଭାଷା ସାହିତ୍ୟ ସମ୍ପର୍କୀତ ସମସ୍ତ ଅନୁଷ୍ଠାନ ତଥା ବିଭାଗୀୟ ମୁଖ୍ୟଙ୍କ ସମେତ ଭାରତର ମହାମହିମ ରାଷ୍ଟ୍ରପତି, ଓଡିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ସାଂସଦ, ବିଧାୟକ ଓ ଅନ୍ୟ ଲୋକପ୍ରତିନିଧି ଏହି ପ୍ରଥମ ଜାତୀୟ ସାହିତ୍ୟ ମହୋତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲାର ସମସ୍ତ ଜନ ପ୍ରତିନିଧିଙ୍କୁ ନେଇ ଏହାର ସମ୍ବର୍ଦ୍ଧନା କମିଟି ଗଠନ କରାଯାଇଛି। ଉଭୟ କେନ୍ଦ୍ର ସାହିତ୍ୟଏକାଡେମୀ ଓ ଓଡିଶା ସାହିତ୍ୟ ଏକାଡେମୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିବେ ବୋଲି ଆବାହକ ପ୍ରକାଶ କରିଛନ୍ତି।

ଆସନ୍ତା ନଭେମ୍ବର ମାସ ୧୪, ୧୫ ଏଵଂ ୧୬ ତାରିଖରେ ବାଣୀପୀଠ ଶାରଳା ପୀଠରେ ଏହି ମହୋତ୍ସବରେ ପାରମ୍ପରିକ ଲେଖକ ସମ୍ମିଳନୀ, ଯୁବକମାନଙ୍କ ପାଇଁ ଲେଖା କର୍ମଶାଳା, ଲେଖକଙ୍କ ଆଲୋଚନା, ଶିଶୁ ସାହିତ୍ୟ ମଞ୍ଚ, ସାହିତ୍ୟ ବିତର୍କ, ସାହିତ୍ୟ ଯାତ୍ରା, ସାହିତ୍ୟ ଓ ସଂସ୍କୃତି ମଞ୍ଚ, ସାହିତ୍ୟ ପ୍ରଦର୍ଶନୀ, ସାହିତ୍ୟ ସଂଗଠକଙ୍କ ଅଭିବ୍ୟକ୍ତି, କାଳଜୟୀ ସ୍ରଷ୍ଠାଙ୍କୁ ସମ୍ମାନିତ କରିବା ସହିତ ଅନେକ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ସମସ୍ତ ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ ଓ ସଂଗଠକ ମାନେ ଏହି ଉତ୍ସବରେ ଯୋଗଦେଇ ଓଡିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଦୃଷ୍ଟିଭଙ୍ଗୀ ରଖିବା ସହିତ ଆଦିକବି ସାରଳା ଦାସଙ୍କୁ ତାଙ୍କର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ| ଏହି ପ୍ରୟାସର ସଫଳ ପରିକଳ୍ପନା ଓ ତାର ରୂପାୟନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ତିର୍ତ୍ତୋଲ ସ୍ଥିତ ଆନନ୍ଦ ମଣ୍ଡପରେ ଅଳକା ଆଶ୍ରମର ସଭାପତି ଗୌରାଙ୍ଗ ଚରଣ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। ଏହି ବୈଠକରେ ଜିଲ୍ଲାର ଅନେକ ସାହିତ୍ୟିକ ଓ ସଂଗଠକ ଯୋଗଦେଇ ନିଜର ମୂଲ୍ୟବାନ ମତାମତ ରଖିଥିଲେ। ସେମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ରଞ୍ଜନ କୁମାର ପଣ୍ଡା, ଭଗବାନ ଦାଶ, ସଞ୍ଜୀବ କୁମାର ମୁଦୁଲି, ବିବେକାନନ୍ଦ ହୋତା, ଜ୍ୟୋତିରଂଜନ ପ୍ରଧାନ, ସିଦ୍ଧେଶ୍ୱର ପଣ୍ଡା, ରଘୁ ସାହୁ, ବିଜୟ କୁମାର ରଥ, ଶରତ କୁମାର ଦାଶ, ସୁରେଶ କୁମାର ପ୍ରଧାନ, ଗୋଲକ ବିହାରୀ ପଲାଇ, ସୁରେଶ କୁମାର ପ୍ରଧାନ, ପ୍ରେମଲତା ବାରିକ, ଦେବୀ ପ୍ରସାଦ ତ୍ରିପାଠୀ, ବାସବ କୁମାର ନନ୍ଦ, ଅମର ଜ୍ୟୋତି ସାହୁ, ସୁଭାଷ ଚନ୍ଦ୍ର ରାଉତ, ମହମ୍ମଦ ମାନସୂର୍ ଅଲ୍ଲୀ, ହେମନ୍ତ କୁମାର ନାୟକ, ରଶ୍ମିତା ନାୟକ, ଚୌଧୁରୀ ରାଧାମୋହନ ପରିଜା, ରୁନି ବାଳା ମଲ୍ଲିକ ପ୍ରମୂଖ ଅଟନ୍ତି। ଏହି ବୈଠକରେ ନଗେନ୍ଦ୍ର ନାଥ ସ୍ୱାଇଁ ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍ନେହମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *