ମହାନଦୀ ରିଭରଫ୍ରଣ୍ଟ ଯୋଜନାକୁ ମଞ୍ଜୁରୀ: ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି

ରାଜ୍ୟ
Spread the love

ଭୁବନେଶ୍ୱର,୧୧/୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଜଳ ସମ୍ପଦ ବିକାଶ ବିଭାଗ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ବ୍ୟବହାର କରିବ।

ଯୋଜନା ମଞ୍ଜୁରୀ ଦେଇ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, “ମହାନଦୀ ଓଡ଼ିଶାର ଜୀବନରେଖା। ଏହାର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ପରିବେଶ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରାଯିବ। ଏହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ବଡ଼ ଯୋଗଦାନ ଦେବ।”

ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ନଦୀକୂଳରେ ସାମାଜିକ-ସାଂସ୍କୃତିକ ସୁବିଧା ଯୋଗାଇବା, ଘରୋଇ ସହଭାଗିତାରେ ଜଳକ୍ରୀଡା, ମନୋରଞ୍ଜନ ପାର୍କ, ବିଜ୍ଞାନ ପାର୍କ, ହର୍ବାଲ ଉଦ୍ୟାନ ଆଦିର ମୌଳିକ ଭିତ୍ତିଭୂମି ନିର୍ମାଣ, ନଦୀତଟ କ୍ଷୟ ନିୟନ୍ତ୍ରଣ, ନଦୀଜଳ ସଫା, ଜଳ ସଂରକ୍ଷଣ ଓ ପାରିପାର୍ଶ୍ୱିକ କ୍ଷେତ୍ରର ସ୍ଥାୟୀ ବିକାଶ।

ଯୋଜନାରେ ଦୁଇଟି ସ୍ଥାନରେ ନଦୀତଟ ବିକାଶ ହେବ। ପ୍ରଥମଟି ସମ୍ବଲପୁରର ମାଣ୍ଡାଲିଆରୁ ଚୌନପୁର ପର୍ଯ୍ୟନ୍ତ, ଯେଉଁଥିରେ ପାର୍କିଂ, ଜଗିଙ୍ଗ୍ ପାର୍କ, ସେଲ୍ଫି ପଏଣ୍ଟ, ପାର୍କ, ଖୋଲା ଜିମ୍, ଘାଟ ଉନ୍ନତି, ସ୍ନାନ ଘାଟ, ଆରତୀ ଘାଟ, ଥିମ୍ ପ୍ଲାଜା, ସପିଂ କମ୍ପ୍ଲେକ୍ସ, ଶୌଚାଳୟ ଆଦିର ବିକାଶ ହେବ। ଏଥିପାଇଁ ୧୬୦ କୋଟି ଟଙ୍କା ବିନିଯୋଗ।

ଦ୍ୱିତୀୟଟି ଭୁବନେଶ୍ୱର ପାଣ୍ଡରା ନିକଟ କୂଆଖାଇ ଓ କୁଶଭଦ୍ରା ନଦୀରେ, ଯେଉଁଥିରେ ସୁରକ୍ଷା କାର୍ଯ୍ୟ, ଘାଟ ବିକାଶ, ରିଙ୍ଗ୍ ରୋଡ୍, ଭ୍ୟୁ ପଏଣ୍ଟ, ଭାସ୍ମାନ ଜେଟି, ଲକ୍ଗେଟ୍, ସେତୁ, ପାର୍କିଂ, କାଫେଟେରିଆ, ଶୌଚାଳୟ, ନଦୀପଥ ସହ ଆଭ୍ୟନ୍ତରୀଣ ପାଦଚାଳନା ରାସ୍ତା ନିର୍ମାଣ ହେବ। ଏଥିପାଇଁ ୮୦ କୋଟି ଟଙ୍କା ବିନିଯୋଗ କରାଯିବ।

Leave a Reply

Your email address will not be published. Required fields are marked *