ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ପାଳିବ “ଧନ୍ୟବାଦ ମୋଦି” ଉତ୍ସବ : ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର,୧୬/୯: ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନା ସଫଳ ଭାବରେ ଏକ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଓଡ଼ିଶାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ନିମନ୍ତେ ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ୩୩୮ଟି ସିଡିପିଓ ୟୁନିଟରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ହିତାଧିକାରୀମାନେ ସୁଭଦ୍ରା ଯାତ୍ରା ଓ ସଫଳତା କାହାଣୀ ମାଧ୍ୟମରେ ସୁଭଦ୍ରା ସେମାନଙ୍କ ଜୀବନରେ କିପରି ସକାରାତ୍ମକ ପରିବର୍ତ୍ତନ ଆଣିଛି ତାହା ଉପସ୍ଥାପନା କରିବେ।

ଅଙ୍ଗନବାଡି କେନ୍ଦ୍ର ସ୍ତରରେ ୧୭ ସେପ୍ଟେମ୍ବର ୨୦୨୫ ଠାରୁ ପୋଷଣ ମାସ ଆରମ୍ଭ ହେବା ସହ ସୁଭଦ୍ରା ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସମ୍ମିଳିତ ଭାବେ ପାଳନ କରାଯିବ। ଏଥିରେ ହିତାଧିକାରୀମାନେ ସୁଭଦ୍ରା ଯାତ୍ରାର ନିଜର ଅନୁଭବ ବାଣ୍ଟିବା ସହ ସୁଭଦ୍ରାର ଲାଭ ଆଲୋଚନା କରିବେ ଓ ପୋଷଣ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେବେ।

ଏଥିସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମରେ ସୁଭଦ୍ରା ଷ୍ଟଲ ମାଧ୍ୟମରେ ସୁଭଦ୍ରା ହେଲ୍ପ ଡେସ୍କ କର୍ମୀମାନେ ସୁଭଦ୍ରା ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବା ସହ ସଚେତନତା ସୃଷ୍ଟି କରିବା ପାଇଁ ସୁଭଦ୍ରା ସମ୍ପର୍କୀୟ ପ୍ରଚାର ପତ୍ର ବଣ୍ଟନ କରିବେ।

ସୁଭଦ୍ରାର ଉଲ୍ଲେଖନୀୟ ପ୍ରଭାବକୁ ସାମ୍ନାକୁ ଆଣି ସମଗ୍ର ରାଜ୍ୟରେ ସୁଭଦ୍ରା ସମ୍ପର୍କରେ ଅଧିକ ଜନ ସଚେତନତା ଓ ସହାଭାଗିତାକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *