ଡ୍ରାଇଭିଂ ବେଳେ ରିଲ୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର,୧୬/୯: ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ରାସ୍ତା ସୁରକ୍ଷା ଉଲ୍ଲଙ୍ଘନକାରୀ, ବିଶେଷକରି ଗାଡ଼ି ଚାଳନା ବେଳେ ରିଲ୍‌ କିମ୍ବା ଭିଡିଓ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ପରେ ଜାରି ହୋଇଛି।

ଖୋର୍ଦ୍ଧା ଅତିରିକ୍ତ ଆରଟିଓ, ଜଗତସିଂହପୁର ଓ ଭୁବନେଶ୍ୱର-I ଆରଟିଓ ଏବଂ ପୋଲିସ ସହଯୋଗରେ ଖୋର୍ଦ୍ଧାର ହଳଦିଆରେ ଏକ ସ୍କୁଲ ସାମ୍ନାରେ ରିଲ୍‌ ତିଆରି କରୁଥିବା ଏକ ଗାଡ଼ି ଜବତ କରିଛନ୍ତି। ଭାଇରାଲ ଭିଡିଓରେ ଡ୍ରାଇଭର ଷ୍ଟିୟରିଂ ନ ଧରି ଷ୍ଟଣ୍ଟ କରୁଥିବା ଦେଖାଯାଇଥିଲା। ଡ୍ରାଇଭରଙ୍କୁ ଜୋରିମାନା କରାଯାଇ ତାଙ୍କ ଲାଇସେନ୍ସ ସସ୍ପେଣ୍ଡ ଓ ଗାଡ଼ିର ରେଜିଷ୍ଟ୍ରେସନ ବାତିଲ ପାଇଁ ପଦକ୍ଷେପ ନିଆଯାଇଛି।

ଅନ୍ୟ ଏକ ଘଟଣାରେ, ଭୁବନେଶ୍ୱର-II ଆରଟିଓ ଏକ ଦମ୍ପତିଙ୍କ ରିଲ୍‌ ତିଆରି ପାଇଁ ବ୍ୟବହୃତ ମୋଟରସାଇକେଲ ଜବତ କରିଛନ୍ତି। ଡ୍ରାଇଭରଙ୍କୁ ଦଣ୍ଡ ଓ ଲାଇସେନ୍ସ ସସ୍ପେଣ୍ଡ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହା ସହ, କୋରାପୁଟ ଜିଲାର ବରିନିପୁଟା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଡ଼ିତ ଟ୍ରକର ରେଜିଷ୍ଟ୍ରେସନ ବାତିଲ କରାଯାଇଛି। ମଦ୍ୟପ ଅବସ୍ଥାରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଲାଇସେନ୍ସ ସସ୍ପେଣ୍ଡ କରାଯାଇ ତାଙ୍କୁ ଅଟକ ରଖାଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୋଟର ଯାନ ଆଇନ ଓ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Leave a Reply

Your email address will not be published. Required fields are marked *