ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ, କଟକରୁ ଟେକିନେଲା ଇଓଡବ୍ଲ୍ୟୁ

ଅପରାଧ କଟକ ଜିଲା ଖବର ପୁରୀ ରାଜ୍ୟ
Spread the love

କଟକ,୨୦/୯: ବିଜେଡି ନେତା ଦିଲ୍ଲୀପ କୁମାର ନାୟକଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ। ପୁରୀରେ ଏକ ୭ କୋଟି ଟଙ୍କାର ଜମି ଠକେଇ ଘଟଣାରେ ଇଓଡବ୍ଲ୍ୟୁ ତାଙ୍କୁ କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରୀମଙ୍ଗଳା ଅଞ୍ଚଳରୁ ଗିରଫ କରିଛି। ସୂଚନା ଅନୁଯାୟୀ, ପୁରୀର ଜଣେ ବ୍ୟକ୍ତିଙ୍କୁ ଜମି ଯୋଗାଇବାକୁ କହି ଦିଲ୍ଲୀପ ୭ କୋଟି ଟଙ୍କା ଆଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜମି ଦେଇ ନଥିଲେ। ଟଙ୍କା ଫେରସ୍ତ ପାଇଁ ପରବର୍ତ୍ତୀ ସମୟରେ ଏକ ଚୁକ୍ତି ବି କରିଥିଲେ। କିନ୍ତୁ ସେ ଚୁକ୍ତି ବି ଖିଲାପ କରିଥିଲେ।

ଏ ସଂକ୍ରାନ୍ତରେ ୨୦୨୩ରେ ବାଦାମବାଡ଼ି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଇଓଡବ୍ଲ୍ୟୁ ଏହି ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲା। ତଦନ୍ତ ସମୟରେ ଠକେଇ ସମ୍ପର୍କିତ ଅଭିଯୋଗର ପ୍ରମାଣ ମିଳିଥିଲା। ଶୁକ୍ରବାର ଇଓଡବ୍ଲ୍ୟୁ ଡିଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ କଟକର ଝାଞ୍ଜିରୀମଙ୍ଗଳାରେ ଥିବା ଦିଲ୍ଲୀପଙ୍କ ଘରେ ଚଢ଼ଉ କରିଥିଲା। ତାଙ୍କୁ ସେଠାରୁ ଗିରଫ କରି ଭୁବନେଶ୍ବର ଇଓଡବ୍ଲ୍ୟୁ କାର୍ଯ୍ୟାଳୟକୁ ନିଆଯାଇଥିବା ଭୁବନେଶ୍ବର ଇଓଡବ୍ଲ୍ୟୁ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ଦିଲ୍ଲୀପ ୨୦୨୪ ସାଧାରଣ ନିର୍ବାଚନରେ ନିମାପଡ଼ାରେ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିପକ୍ଷରେ ଲଢ଼ି ପରାସ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *