ସମ୍ବଲପୁର,୨୧/୯: ଜିଲ୍ଲା ଯମନକିରା ବ୍ଲକ ର କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଓ ପ୍ରାୟ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବର୍ଦ୍ଧିତ କଳାକାର ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓ ରବିନ୍ଦ୍ର ସେଠୀଙ୍କ ଜରିଆ ରେ ବ୍ଲକ୍ ସ୍ତରୀୟ କଳା ସଂସ୍କୃତି ସଂଘ ପକ୍ଷରୁ ଏକ ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଗୋକୁଳାନନ୍ଦ ଦାନୀଙ୍କ ନେତୃତ୍ୱରେ ସ୍ଥାନୀୟ ହାଟପଦାରୁ ଶତାଧିକ କୃଷ୍ଣଗୁରୁ, ସମ୍ପର୍ଦା , ଭାଗବତ, ଦଣ୍ଡନାଚ, ରଙ୍ଗୀନ କୀର୍ତ୍ତନ, ରାମ ଲୀଳା, ଶବର ଲୀଳା, କବି ପ୍ରଭୃତି ପୁରୁଷ ମହିଳା କଳାକାର ଏକ ବିରାଟ ପଟୁଆର ରେ ବାହାରି ସହର ପରିକ୍ରମା ପରେ ବ୍ଲକ୍ ଅଫିସ୍ ସମ୍ମୁଖକୁ ପହଂଚି ଥିଲେ। ପରେ ବିଡ଼ିଓଙ୍କୁ ଦାବି ପ୍ରଦାନ କରିଥିଲେ। ସେମାନେ ଦାବିରେ ଉଲ୍ଲେଖ କରିଛନ୍ତି ଯେ, ବ୍ଲକ୍ ସ୍ତରୀୟ କଳାକାର ସଂଘ ଦୀର୍ଘ ୨୨ ବର୍ଷ ହେଲା ସେବା ଯୋଗାଇ ଆସୁଛି।
ସଂଘର ୪୦୦ ରୁ ବେଶୀ କଳାକାର ପଂଜିକୃତ ହୋଇ ସରକାରୀ କଳାକାର ଭତ୍ତା ପାଇ ଆସୁଥିବା ବେଳେ ବର୍ତ୍ତମାନ୍ ବ୍ଲକ୍ ର ଅଣ ପଂଜିକୃତ କଳାକାର ମାନଙ୍କୁ ଚିହ୍ନଟ କରି ପଞ୍ଜିକରଣ ପରେ ଅବିଳମ୍ବେ ସରକାରୀ ସହାୟତା ଯୋଗାଇ ଦିଆଯାଉ। ଏଥିସହ ବିଭିନ୍ନ ଗାଁ ରେ ଥିବା କଳାକାର ମାନଙ୍କ ପାଇଁ ସରକାରୀ ସହାୟତାରେ ଗ୍ରାମ୍ୟ କଳାକାର ଭବନ ନିର୍ମାଣ କରାଯାଉ । ଫଳରେ କଳାକାର ମାନେ ନିଜ ଗାଁ ରେ ସନ୍ଧ୍ୟା ସମୟରେଭାଗବତ ପାଠ ସହ ଭଜନ କୀର୍ତ୍ତନ କରିବାର୍ ସୁଯୋଗ ପାଇବେ। ଯେଉଁ କଳାକାର ପଂଜିକୃତ ହୋଇଛନ୍ତି ସେମାନଙ୍କୁ ବୀମାଭୁକ୍ତ କରାଯାଉ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ଓ ପ୍ରସାର ବେଳେ ଏଠାକାର ପଂଜିକୃତ କଳାକାରଙ୍କୁ ସମସ୍ତ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଦାବି କରାଯାଇଛି। ପ୍ରତ୍ୟେକ ପଂଜିକୃତ କଳାକାରଙ୍କୁ ପ୍ରାୟ ୫ ହଜାର ଟଙ୍କା ବର୍ଦ୍ଧିତ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ବ୍ଳକ୍ କଳା ସଂସ୍କୃତି ସଂଘର ସଭାପତି ଗୋକୁଳାନନ୍ଦ ଦାନୀ ଏବଂ ସମ୍ପାଦକ ଉମାକାନ୍ତ ଅର୍କ ନିଜ ବକ୍ତବ୍ୟ ରେ ଦାବି ଜଣାଇଥିଲେ।
