ଜଟଣୀ,୨୧/୯: ସ୍ଥାନୀୟ ପୂର୍ବତଟ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ମୁଖ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଅଲଇଣ୍ଡିଆ ରେଲୱେ ମେକ୍ସ ଫେଡେରେସନ, ନୂଆଦିଲ୍ଲୀର ଆହ୍ୱାନ କ୍ରମେ ସର୍ବଭାରତୀୟ ସ୍ତରରେ ଅଷ୍ଟମ ବେତନର ତୁରନ୍ତ ରାଜପତ୍ର ବିଜ୍ଞପ୍ତି ପ୍ରକାଶ ଦାବିରେ ଶୁକ୍ରବାର ଏକ ଧାରଣା, ପ୍ରତିବାଦ ସଭା ଆୟୋଜନ ହୋଇ ଶେଷରେ ମଣ୍ଡଳାଧୀଶଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଲଇଣ୍ଡିଆ ରେଲପଥ ମେସ୍ଟ ଫେଡେରେସନ ସହ ଅନୁବନ୍ଧିତ ପୂର୍ବତଟ ରେଳପଥ ଶ୍ରମିକ ୟୁନିୟନର ମହାମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ପାଟସାହାଣୀଙ୍କ ନିର୍ଦ୍ଦେଶରେ ୩୫ଟି ସମସ୍ୟା ନେଇ ଧାରଣା, ପ୍ରତିବାଦ ଓ ମଣ୍ଡଳାଧୀଶଙ୍କୁ ଦାବିପତ୍ର ପ୍ରଦାନ ହୋଇଯାଇଛି। ଗତ ୦୧.୦୧.୨୦୨୬ ତାରିଖରୁ ଅଷ୍ଟମ ବେତନ କମିଶନ ସକାରାତ୍ମକ ଭାବରେ ଲାଗୁକରିବା, ଅଷ୍ଟମ ବେତନ କମିଶନ ସମ୍ବନ୍ଧରେ ରାଜପତ୍ର ବିଜ୍ଞପ୍ତି ତୁରନ୍ତ ପ୍ରକାଶ, କମିଶନର ସମସ୍ତ ସର୍ଭାବଳୀ କର୍ମଚାରୀଙ୍କ ହିତରେ ଲାଗୁ କରିବା ଆଦି ତିନି ଦଫା ଜାତୀୟ ଦାବି ଓ କିଛି ଆଞ୍ଚଳିକ ଦାବିରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଥିବା ରନିଂ ବିଭାଗରେ ଖାଲି ପଦ ପୂରଣ, ସମସ୍ତ ରନିଂ ତଥା ନନରନିଂ କର୍ମଚାରୀ ବିଶ୍ରାମାଗାରର ଉନ୍ନତିକରଣ, ଖୋର୍ଦ୍ଧାରୋଡ୍ ମଣ୍ଡଳରେ ଖାଲି ପଡିଥିବା ନିରାପତ୍ତା ସମ୍ବନ୍ଧୀୟ ପଦଗୁଡିକୁ ଯଥାଶୀଘ୍ର ପୂରଣ କରିବା, ଟିଟି କର୍ମଚାରୀମାନଙ୍କ ଉପରେ ବିଭାଗ ତରଫରୁ ଅନାବଶ୍ୟକ ଚାପ ଦେବାକୁ ବନ୍ଦ କରିବା, ଟ୍ରାକ ମଂଟେନରମାନଙ୍କ ବିଶ୍ରାମାଗାରରେ ସମସ୍ତ ମୌଳିକ ସୁବିଧା ପ୍ରଦାନ, ପୁରୁଣା ବର୍ଜିତ କ୍ୱାର୍ଟର ବଦଳରେ ନୂଆ କ୍ବାର୍ଟର ନିର୍ମାଣ ଓ ଏବେ ଥିବା କ୍ୱାର୍ଟର ଗୁଡିକର ଉନ୍ନତିକରଣ, ଆଇ.ଆର.ପି.ଡବ୍ଲ୍ୟୁ.ଏମ୍ ଅନୁସାରେ ପାଟ୍ରୋଲିଂ ସୀମା ନିର୍ଦ୍ଧାରଣ କରିବା ଓ ରାତିରେ ପାଟ୍ରୋଲିଂ ବିଟକୁ ୧୨କି.ମି.ରେ ସୀମିତ ରଖୁବା, କର୍ମଚାରୀ ମାନଙ୍କୁ ନିୟମିତ ଭତ୍ତା ପ୍ରଦାନ, ଏଲ.ଡ଼ି.ସି.ଈ./ ଜି.ଡ଼ି.ସି.ଈ.କୁ ନିୟମିତ ଭାବେ ଅନ୍ତରାଳରେ କରିବା, ପୂର୍ବତଟ ରେଳପଥ ପାଇଁ ନୂଆ ଏ.ଭି.ସି ଗଠନ, ରାତ୍ରକାଳୀନ ଭତ୍ତା ପାଇବାରେ ଥିବା ପ୍ରତିବନ୍ଧକ ହଟାଇବା, ଗଢି ଉଠୁଥିବା ନୂଆ ରେଳପଥ ଓ ନୂଆ ଷ୍ଟେସନ ପାଇଁ ନୂଆ ପୋଷ୍ଟ ସୃଷ୍ଟି କରିବା, ସମସ୍ତ ସବଅଡିନେଟ ବିଶ୍ରାମାଳୟକୁ ଶୀତତାପ ନିୟନ୍ତ୍ରିତ କରିବା ସହ ରନ୍ଧନର ସୁବ୍ୟବସ୍ଥା କରିବା, ସମସ୍ତ ସୁପରଭାଇଜର କାର୍ଯ୍ୟାଳୟକୁ ଶୀତତାପ ନିୟନ୍ତ୍ରିତ କରିବା, ଖାଲି ପଦାନୁସାରେ ସମୟୋପଯୁକ୍ତ ପ୍ରମୋଶନ କରିବା, ଟ୍ରାକ ମଂଟେନର ମାନଙ୍କୁ ପ୍ରତ୍ୟେକ ଛଅ ମାସରେ ଜୋତା ପାଇଁ ଭତ୍ତା ପ୍ରଦାନ ସମୟରେ ସାମଗ୍ରୀ ପ୍ରଦାନ। ଟ୍ରାକ, ଓଏଚ୍ଇ ବା ସିଗ୍ନାଲ ଇତ୍ୟାଦି ରକ୍ଷାପୋଷଣ ପାଇଁ ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ ବାହାନ ପ୍ରଦାନ, ସମସ୍ତ ରେଳପଥ କଲୋନୀରେ ଡିଜି କନେକ୍ସନ ସହ ସୋଲାର ବ୍ୟବସ୍ଥା, ରେଳପଥ ବୋର୍ଡ ପ୍ରକ୍ରିୟା ବିନା କ୍ରିଉ ଲବୀ ଖୋଲିବାକୁ ବନ୍ଦ କରିବା, ରନିଂ କର୍ମଚାରୀଙ୍କ ୭୦% ରନିଂ ଭତ୍ତାକୁ ଆୟକରରୁ ମୁକ୍ତି, କ୍ରିଉ ମେମ୍ବର ହେଡକ୍ୱାଟରକୁ ୩୬ଘଣ୍ଟା ଭିତରେ ଫେରିବାକୁ ନିୟମିତ ନିରୀକ୍ଷଣ, ରାତି ଡିୟୁଟିକୁ ସର୍ବାଧିକ ଦୁଇଟି ଲଗାତାର ରାତିରେ ସୀମିତ କରିବା, ମହିଳା କର୍ମଚାରୀଙ୍କ ପାଇଁ କାର୍ଯ୍ୟସ୍ଥଳରେ ପୋଷାକ ବଦଳାଇବାକୁ ଘର ସହିତ ସ୍ବତନ୍ତ୍ର ଶୌଚାଳୟ ଆଦି ଅନେକ ଆଞ୍ଚଳିକ ଦାବିକୁ ନେଇ ଶ୍ରମିକ ୟୁନିଅନ ଧାରଣାକୁ ଓହ୍ଲାଇଥିଲାI
ଏହି ଧାରଣା, ପ୍ରତିବାଦ ସଭାରେ ଖୋର୍ଦ୍ଧାରୋଡ଼ ଶ୍ରମିକ ୟୁନିଅନର ମଣ୍ଡଳ ସଂଯୋଜକ କୌଶିକ ଶାହାଙ୍ଖ ନେତୃତ୍ବରେ ଶହ ଶହ ପୁରୁଷ ଓ ମହିଳି କର୍ମଚାରୀ ଯୋଗ ଦେଇଥିଲେ। ଧାରଣା, ପ୍ରତିବାଦ ପରେ ରେଲପଥ ବୋର୍ଡ଼ର ଅଧ୍ୟକ୍ଷଙ୍କ ଉଦେଶ୍ୟରେ ବିଭିନ୍ନ ଦାବିରେ ସ୍ମାରକପତ୍ର ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ପ୍ରବନ୍ଧକ ଆଲୋକ ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି। ଏହି ପ୍ରତିବାଦ ସଭାରେ ସଂଗଠନର ଅତିରିକ୍ତ ମହାମନ୍ତ୍ରୀ ରଞ୍ଜିତ ଦାସ, ଉପ-ମଣ୍ଡଳ ସଂଯୋଜକ ନିର୍ମଳ ପରିଡା, ଉପ-ମଣ୍ଡଳ ସଂଯୋଜକ ଅମ୍ରିତ୍ ମିଶ୍ର, ଖୋର୍ଦ୍ଧାରୋଡ ହେଡକ୍ୱାର୍ଟର୍ସ ଶାଖା ସମ୍ପାଦକ ପ୍ରମୋଦ ରାୟ, ଶ୍ରୀମତୀ ଲୀନା ନାୟକ ପ୍ରମୁଖଙ୍କ ସମେତ ଶତାଧିକ ସଂଗଠନ କର୍ମକର୍ତ୍ତା ଯୋଗଦାନ ରହିଥିଲା।
