ଜଳିଲା ଲଦାଖ, ୪ ମୃତ, ୭୨ ଆହତ

ଅପରାଧ ଦେଶବିଦେଶ
Spread the love

ଲେହ,୨୫/୯: ଲଦାଖକୁ ରାଜ୍ୟ ମାନ୍ୟତା ଓ ସମ୍ବିଧାନର ଷଷ୍ଠ ତାଲିକାରେ ଅନ୍ତର୍ଭୁକ୍ତ ଦାବିରେ ଚାଲିଥିବା ଆନ୍ଦୋଳନ ଆଜି ହିଂସାତ୍ମକ ରୂପ ନେଇଛି। ଲେହରେ ‘ଲେହ ଏପେକ୍ସ ବଡି’ (ଏଲ୍‌ଏବି) ଯୁବ ଶାଖା ଦ୍ୱାରା ଆହ୍ୱାନ କରାଯାଇଥିବା ବନ୍ଦ ସମୟରେ ଆନ୍ଦୋଳନକାରୀମାନେ ବିଜେପି କାର୍ଯ୍ୟାଳୟ ପୋଡ଼ି ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଛାତ୍ର ଓ ପୁଲିସ ବାହିନୀ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୨ ଜଣ ଆହତ ହୋଇଛନ୍ତି। ପୁଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ ସହ ଲାଠିଚାର୍ଜ କରିଥିବା ବେଳେ କେତେକ ସ୍ଥାନରେ ଗୁଳି ଚଳାଇ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଲେହ ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ ପାଞ୍ଚ ଜଣରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ଉପରେ ନିଷେଧାଦେଶ ଲାଗୁ ହୋଇଛି। ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହୋଇଛି। ଉତ୍ତେଜନା ଜାରି ରହିଥିବା ବେଳେ ଆସନ୍ତାକାଲି କାରଗିଲ ବନ୍ଦ ଡାକରା ଦିଆଯାଇଛି। ବିଜେପି କାର୍ଯ୍ୟାଳୟ ବି ଜାଳିଦେଲେ .

ପରିବେଶ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ୍‌ ରାଜ୍ୟ ମାନ୍ୟତା ଓ ଅନ୍ୟାନ୍ୟ ଦାବି ନେଇ ଚଳାଇଥିବା ଆମରଣ ଅନଶନ ଆଜି ୧୫ ଦିନରେ ପହଞ୍ଚିଥିବା ବେଳେ ଏହାର ସମର୍ଥନରେ ଚାଲିଥିବା ଆନ୍ଦୋଳନ ହଠାତ୍‌ ହିଂସାତ୍ମକ ରୂପ ନେଇଥିଲା। ଗତକାଲି ଦୁଇ ଜଣ ଅନଶନକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ଏଲ୍‌ଏବି ଯୁବ ଶାଖା ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଥିଲା। ଏନ୍‌ଡିଏସ୍‌ ସ୍ମାରକୀ ପଡ଼ିଆରୁ ରାଜ୍ୟ ମାନ୍ୟତା ଦାବିରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ହଠାତ୍‌ ହିଂସ୍ର ହୋଇ ଉଠିବାରୁ ସୀମିତ ସଂଖ୍ୟକ ପୁଲିସ ଉଗ୍ର ଭିଡ଼କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇନଥିଲେ। ଛାତ୍ର ଓ ଯୁବ ଗୋଷ୍ଠୀ ପୁଲିସ ଉପରେ ପଥର ବର୍ଷା କରିବା ସହ ବ୍ୟାପକ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ। ସେମାନେ ଶତାଧିକ ଗାଡ଼ି ଭଙ୍ଗାରୁଜା କରିବା ସହ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇଦେବାରୁ ପରିସ୍ଥିତି ଗମ୍ଭୀର ହୋଇଉଠିଥିଲା।

ସୂଚନାଯୋଗ୍ୟ, ୨୦୧୯ରେ ଧାରା ୩୭୦ ରଦ୍ଦ ହେବା ପରେ ଲଦାଖକୁ ବିଧାନସଭା ବିହୀନ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯାଇଥିଲା। ପ୍ରଥମେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଏହାକୁ ସ୍ୱାଗତ କରାଯାଇଥିଲା। କିନ୍ତୁ ବିଧାନସଭାର ଅଭାବ ଓ ସ୍ୱାୟତ୍ତତା ହ୍ରାସ ପାଇବାରୁ ବର୍ତ୍ତମାନ ଏହା ତୀବ୍ର ଅସନ୍ତୋଷର ରୂପ ନେଇଛି। କେନ୍ଦ୍ର ସରକାର ଓ ସ୍ଥାନୀୟ ନାଗରିକ ସଂଗଠନଗୁଡ଼ିକ ମଧ୍ୟରେ ଅକ୍ଟୋବର ୬ରେ ଏ ବାବଦ ଆଲୋଚନା ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଆନେକ ସଂଗଠନ ତୁରନ୍ତ ଆଲୋଚନା ପାଇଁ ଦାବି କରିଛନ୍ତି। ନ୍ୟାସ୍‌ନାଲ୍‌ କନଫରେନ୍ସ ନେତା ତନ୍‌ବୀର୍‌ ସାଦିକ୍‌ ଆଜିର ପରିସ୍ଥିତି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିବା ବେଳେ ବିଜେପି ଏଭଳି ହିଂସା ପାଇଁ ବିରୋଧୀ ଦଳଙ୍କ ଉସୁକାଇବା ନୀତିକୁ ଦାୟୀ କରିଛି। ଚୀନ୍‌ ସୀମା ନିକଟବର୍ତ୍ତୀ ଲଦାଖରେ ଏହି ଅଶାନ୍ତି ଜାତୀୟ ସୁରକ୍ଷା ପାଇଁ ଚିନ୍ତାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *