ଭୁବନେଶ୍ବର,୨୫/୯: ରାଜଧାନୀରେ ପୁଣି ଏକ ଅପହରଣ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି, ମଙ୍ଗଳବାର ରାତି ପାଖାପାଖି ୭.୪୫ ମିନିଟ୍ ସମୟରେ ଯୁବତୀଜଣଙ୍କ ଆଚାର୍ଯ୍ୟବିହାରରୁ ନୂଆପଲ୍ଲୀ ଆସୁଥିଲେ। ଅଟୋଚାଳକ ଜଣଙ୍କ ସର୍ଭିସ୍ ରୋଡ୍ରେ ଯିବା ବଦଳରେ ଫ୍ଲାଏଓଭର୍ ଉପରେ ଦ୍ରୁତଗତିରେ ଆଗକୁ ମାଡ଼ିଚାଲିଥିଲା। ଯୁବତୀଜଣକ, ଚାଳକକୁ ବାଟ ବଦଳାଇବାର କାରଣ ପଚାରିବାରୁ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ହଠାତ୍ ତାଙ୍କ ମୁହଁକୁ ରୁମାଲ୍ରେ ଚାପି ଧରିଥିଲେ। ଫଳରେ ଯୁବତୀଜଣକ ପାଟି କରିପାରିନଥିଲେ। ସେ ଛାଟିପିଟି ହେବାରୁ ଦୁର୍ବୃତ୍ତଜଣକ ତାଙ୍କୁ ମାଡ଼ିବସି କାବୁ କରିଥିଲା। ପୀଡ଼ିତା ବୁଝିଗଲେ ଯେ ତାଙ୍କୁ ଅପହରଣ କରିନିଆଯାଉଛି। ତେଣୁ ସେ ତାଙ୍କ ମୁହଁକୁ ଚାପି ଧରିଥିବା ଦୁର୍ବୃତ୍ତକୁ ଧକ୍କା ମାରି ଜୀବନ ବିକଳରେ ଅଟୋରୁ ଡେଇଁପଡ଼ିଥିଲେ।
ଅଟୋରୁ ଡେଇଁ ପଡ଼ିବାରୁ ତାଙ୍କର ମୁଣ୍ଡ ରାସ୍ତାରେ ମାଡ଼ ହୋଇଥିଲା ଏବଂ ରକ୍ତାକ୍ତ ଅବସ୍ଥାରେ ସେ ସେଠାରେ ପଡ଼ିରହିଥିଲେ। ଅଟୋଚାଳକ ଓ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ସେହି ବାଟ ଦେଇ ଯାଉଥିବା ଲୋକମାନେ ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ଅଟକିଯାଇଥିଲେ। ସେମାନେ ତାଙ୍କୁ ଉଦ୍ଧାର କରି ତାଙ୍କ ବାପାଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ସେଠାରେ ପହଞ୍ଚିବା ସହ ତାଙ୍କୁ ନେଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଯୁବତୀଜଣକ ସୁସ୍ଥ ହେବା ପରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରୁଛି। ମାତ୍ର ଏ ପର୍ଯ୍ୟନ୍ତ ଲୁଟେରାଙ୍କ ସମ୍ପର୍କରେ ଟେର୍ ପାଇପାରି ନାହିଁ।
