ଦିଲ୍ଲୀରେ ବାବାଙ୍କ କଳା କାରନାମା: ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ୧୭ ମହିଳା

ଅପରାଧ ଦେଶବିଦେଶ
Spread the love

ନୂଆଦିଲ୍ଲୀ,୨୫/୯: ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଜଣାଶୁଣା ଆଶ୍ରମର ନିର୍ଦ୍ଦେଶକ ଏକ ଡଜନରୁ ଅଧିକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟର ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥିଙ୍କ ବିରୋଧରେ ଆର୍ଥିକ ଦୁର୍ବଳ ବର୍ଗରେ ଛାତ୍ରବୃତ୍ତି ସହିତ ସ୍ନାତକୋତ୍ତର ମ୍ୟାନେଜମେଣ୍ଟ ଡିପ୍ଲୋମା ପାଠ୍ୟକ୍ରମ କରୁଥିବା ଛାତ୍ରମାନଙ୍କୁ ହଇରାଣ କରିବା ଅଭିଯୋଗରେ ପୁଲିସ୍ ମାମଲା ରୁଜୁ କରିଛି।

ପୁଲିସ କହିଛି ଯେ ୩୨ ଜଣ ଛାତ୍ରଙ୍କ ମଧ୍ୟରୁ ଅତି କମ୍‌ରେ ୧୭ ଜଣ ଛାତ୍ରୀ ସ୍ୱାମୀ ଚୈତନ୍ୟାନନ୍ଦଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବା, ଅଶ୍ଳୀଳ ଟେକ୍ସଟ୍ ମେସେଜ୍ ପଠାଇବା ଓ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ କରିଛନ୍ତି। ମହିଳା ଅଧ୍ୟାପକ ଓ ପ୍ରଶାସନିକ କର୍ମଚାରୀମାନେ ମଧ୍ୟ ଅଭିଯୁକ୍ତଙ୍କ ଦାବି ମାନିବାକୁ ଛାତ୍ରୀମାନଙ୍କ ଉପରେ ଚାପ ପକାଇଥିଲେ ବୋଲି ପୀଡିତାମାନେ କହିଛନ୍ତି। ଅଭିଯୁକ୍ତ ଛାତ୍ରୀମାନଙ୍କୁ ତାଙ୍କ କୋଠରିକୁ ଡାକି ମାଗଣା ବିଦେଶ ଯାତ୍ରା ପାଇଁ ପ୍ରଲୋଭିତ କରୁଥିଲେ ବୋଲି ପୀଡିତାଙ୍କ ସହ ତାଙ୍କର ଚାଟ୍‌ରୁ ଜଣାପଡ଼ିଛି। ସେମାନଙ୍କ ବୟାନକୁ ଆଧାର କରି ପୁଲିସ ସ୍ୱାମୀ ଚୈତନ୍ୟାନନ୍ଦଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଅନ୍ୟାନ୍ୟ ଅଭିଯୋଗରେ ମାମଲା ରୁଜୁ କରିଛି ବୋଲି ଦକ୍ଷିଣ-ପଶ୍ଚିମ ଜିଲ୍ଲାର ଡେପୁଟି କମିସନର ଅମିତ ଗୋୟଲ କହିଛନ୍ତି।

ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅପରାଧ ସ୍ଥାନ ତଥା ଅଭିଯୁକ୍ତଙ୍କ ଠିକଣାରେ ଚଢ଼ାଉ କରିଛି। କିନ୍ତୁ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ପୁଲିସର ଅନେକ ଦଳ ବର୍ତ୍ତମାନ ତାଙ୍କୁ ଖୋଜୁଛନ୍ତି। ଅନୁସନ୍ଧାନ ସମୟରେ ପୁଲିସ ଅନୁଷ୍ଠାନର ତଳ ମହଲାରେ ଏକ ଭୋଲଭୋ କାର୍ ପାଇଥିଲା ଯାହା ସ୍ୱାମୀ ଚୈତନ୍ୟାନନ୍ଦ ବ୍ୟବହାର କରୁଥିଲେ। ଯାଞ୍ଚ ପରେ ଜଣାପଡ଼ିଲା ଯେ, କାରଟି ଏକ ନକଲି କୂଟନୈତିକ ନମ୍ବର ପ୍ଲେଟ୍ (୩୯ ୟୁଏନ୍ ୧) ବ୍ୟବହାର କରିଥିଲା। ଏହାକୁ ଜବତ କରାଯାଇଛି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଆଶ୍ରମ ପ୍ରଶାସନ ତାଙ୍କୁ ପଦରୁ ବହିଷ୍କାର କରିଛି।

Leave a Reply

Your email address will not be published. Required fields are marked *