ଝାରସୁଗୁଡା, ୨୭/୯ : ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ୧୧ଟା୧୦ମିନିଟ୍ରେ ଝାରସୁଗଡାରେ ପହଞ୍ଚିଛନ୍ତି। ସେଠାରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି।
ପ୍ରଥମ ଥର ପାଇଁ ଝାରସୁଗୁଡାରେ ରୋଡ଼ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ରୋଡ଼ ସୋ’ରେ ଆସିବା ବେଳେ ତାଙ୍କୁ ଦେଖିବାକୁ ରାସ୍ତାକଡ଼ରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ବିଭିନ୍ନ ସାଂସ୍କୃତିକ ଦଳଙ୍କ ସମେତ ସାଧାରଣ ଲୋକେ ଓ ଦଳୀୟ କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ବେଶ ଉତ୍ସାହ ପ୍ରଦର୍ଶନ କରିଥିବା ବେଳେ ସମଗ୍ର ରାସ୍ତା ମୋଦି ମୋଦି ଶବ୍ଦରେ ଗୁଞ୍ଜରିତ ହେଉଥିଲା।
ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଅମଲୀପାଲିସ୍ଥିତ ପଡିଆରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଞ୍ଚରେ ପହଞ୍ଚିବା ପରେ ଉପସ୍ଥିତ ଲକ୍ଷାଧିକ ଲୋକ ନିଜ ଆସନରୁ ଛିଡା ହୋଇ ‘ମୋଦି ମୋଦି’ ବୋଲି କହିବାକୁ ଲାଗିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ସେବା ପର୍ବ ୨୦୨୫ ଅବସରରେ ଆୟୋଜିତ ଯୁବ ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ।
ମଞ୍ଚରେ ରାଜ୍ୟପାଳ କମ୍ଭମପତି ହରିବାବୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସାଂସଦ ପ୍ରଦୀପ ପୁରୋହିତ, ବୈଜୟନ୍ତ ପଣ୍ଡା, ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ପ୍ରଭାତୀ ପରିଡା, ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ, ମନ୍ତ୍ରୀ ରବି ନାୟକ, ବିଧାୟକ ଜୟ ନାରାୟଣ ମିଶ୍ର, ଟଙ୍କଧର ତ୍ରିପାଠୀ ଉପସ୍ଥିତ ରହିଛନ୍ତି।
