ଭୁବନେଶ୍ୱର,୨୯/୯: ଲଦାଖର ସତ୍ୟାଗ୍ରହୀ, ପରିବେଶବିତ୍ ଓ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କୁ ଅଗଣତାନ୍ତ୍ରିକ ଭାବରେ ଗିରଫ କରାଯାଇଥିବା ପ୍ରତିବାଦରେ ଆଜି ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଛକରେ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଯୁବ-ଛାତ୍ର, ମହିଳା ଓ ସାଧାରଣ ନାଗରିକମାନଙ୍କ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ ସହ ସୋନମଙ୍କ ଅହିଂସକ ସତ୍ୟାଗ୍ରହ ପ୍ରତି ସମର୍ଥନ ଜ୍ଞାପନ କରାଯାଇଛି। ‘ଥ୍ରି ଇଡିଅଟ୍’ ସିନେମାର ପ୍ରେରଣାଦାୟକ ଚରିତ୍ର
‘ଫୁଙ୍ଗସୁକ୍ ୱାଙ୍ଗଡୁ’ଙ୍କ ପଛରେ ଥିବା ବ୍ୟକ୍ତିତ୍ୱ ସୋନମଙ୍କ ‘ହିମାଳୟାନ ଇନଷ୍ଟିଟ୍ୟୁଟ ଅଫ୍ ଅଲଟରନେଟିଭ୍ସ’କୁ ବନ୍ଦ କରିବା, ଲିଜ୍ ଜମି ହରଣ କରିବା ଓ ବିକଳ୍ପ ଶିକ୍ଷାନୁଷ୍ଠାନକୁ ବୁଲଡୋଜର ଦ୍ୱାରା ଧ୍ୱଂସ କରିବାକୁ ମୋଦି ସରକାରଙ୍କ ଏକଛତ୍ରବାଦୀ ପ୍ରୟାସକୁ ଉପସ୍ଥିତ ବ୍ୟକ୍ତିବିଶେଷମାନେ ଗଣତନ୍ତ୍ର ପ୍ରତି ଆଘାତ ବୋଲି କହିଥିଲେ।
ଲଦାଖର ପରିବେଶକୁ କର୍ପୋରେଟ୍ କବଳରୁ ବଞ୍ଚାଇବା, ଜଳବାୟୁ ପରିବର୍ତ୍ତନର ବିପଦକୁ ବିଶ୍ୱକୁ ଜଣାଇବା, ଷଷ୍ଠ ଅନୁଛେଦ ଲାଗୁ ପାଇଁ ଅନଶନ-ପଦଯାତ୍ରା କରିବା, ବୌଦ୍ଧ ଧର୍ମାବଲମ୍ବୀ ଲୋକଙ୍କ ଜୀବନ-ଜୀବିକା ପାଇଁ ଲଢ଼ିବା ଓ ଲଦାଖରେ ଚୀନ୍ ଅନୁପ୍ରବେଶ ବିଷୟରେ ସଚେତନ କରିବା, ଯାହା ସବୁକିଛି ଅହିଂସକ ସତ୍ୟାଗ୍ରହର ଅଂଶ । ସୋନମ୍ ଘୋଷଣା କରିଥିଲେ ଯେ “ଲଦାଖ ହେଉଛି ଭାରତ ଜନନୀଙ୍କ ମସ୍ତକର ମୁକୁଟ” ଏବଂ ଏହାକୁ
ସୁରକ୍ଷା କରିବା ସେ ପ୍ରତିବଦ୍ଧ। ସର୍ବଶ୍ରୀ ପ୍ରଫୁଲ୍ଲ ସାମନ୍ତରା, ପ୍ରଫେସର ନୀଳମଣି ସାହୁ, ପଦ୍ମଚରଣ ନାୟକ, ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ, ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡା, ଜ୍ୟୋତିରଞ୍ଜନ ମହାପାତ୍ର, ନରେନ୍ଦ୍ର ମହାନ୍ତି, ପ୍ରମିଳା ବେହେରା, ମହମ୍ମଦ ସୁକୃ, ସତୀଶ ମିଶ୍ର, ସସ୍ମିତା ଜେନା, ରାବେୟା ବେଗମ, ଲେନିନ କୁମାର, ବିପିନ ବାରିକ, ସଂଘମିତ୍ରା ଜେନା, ରୁମିତା କୁଣ୍ଡୁ, ଲକ୍ଷ୍ମୀ ଆଜାଦ୍, ମଳୟ ତ୍ରିପାଠୀ, ମାନସ ପଟ୍ଟନାୟକ, ମୀର୍ ଅହମ୍ମଦ ଅଲ୍ଲୀ, ବଂଶୀଧର ପରିଡ଼ା, ଗଙ୍ଗାଧର ସେଠୀ, ସାୟଂତନ ପଣ୍ଡା ପ୍ରମୁଖ ମୋଦି ସରକାର ଦ୍ୱାରା ସୋନମଙ୍କ ଅଗଣତାନ୍ତ୍ରିକ ଗିରଫକୁ ନିନ୍ଦା କରିଥିଲେ ଓ ତାଙ୍କୁ ନିଃସର୍ତ୍ତ ଖଲାସ୍ ପାଇଁ ଦାବି କରିଥିଲେ।
