ନୂଆଦିଲ୍ଲୀ ୭/୧୦: ପାକିସ୍ତାନର କ୍ୱେଟା ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ସୁଲତାନ କୋଟ ନିକଟରେ ଏହି ଘଟଣା ଘଟିଛି। ଟ୍ରେନ ଯାଉଥିବା ବେଳେ ରେଳଧାରଣାରେ ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍ (ଆଇଡି) ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଟ୍ରେନର ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଥିଲା, ଯାହା ଫଳରେ ଲୋକେ ଆତଙ୍କିତ ହୋଇଯାଇଥିଲେ। ଏହି ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ଏବଂ ବିସ୍ଫୋରଣ ପରେ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ସୂଚନା ମିଳିଛି।କୁହାଯାଉଛି ଯେ, ଆକ୍ରମଣ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ପରେ ସେହି ରୁଟରେ ରେଳ ଚଳାଚଳ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ସୁରକ୍ଷା ବାହିନୀ, ସେହି ଅଞ୍ଚଳକୁ ଘେରାବନ୍ଦୀ କରି ବିସ୍ଫୋରକ ଉପକରଣ କିପରି ଲଗାଯାଇଥିଲା ସେ ବିଷୟରେ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଏହି ଆକ୍ରମଣ ପୂର୍ବରୁ ଲଗାଯାଇଥିବା ବୋମା ସହିତ କରାଯାଇଥିଲା।
