ଆଇଟିଆଇ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ଦଖଲ କରି ଚର୍ଚ୍ଚାରେ ପ୍ରମୋଦ ଦଳପତି

କନ୍ଧମାଳ ଜିଲା ଖବର ରାଜ୍ୟ
Spread the love

ତୁମୁଡିବନ୍ଧ, ୭/୧୦: ଦୁର୍ଗମରୁ ଯାଇ ଦିଲ୍ଲୀରେ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର । ଆଇଟିଆଇ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ଦୁର୍ଗମ ପଞ୍ଚାୟତ ଲଙ୍କାଗଡ଼ର ସୁନା ପୁଅ ପ୍ରମୋଦ ଦଳପତି । ଏଭଳି ଏକ ଦୁର୍ଗମ ଗାଁରୁ ଚଳିତ ବର୍ଷ ITI ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ଦଖଲ କରି ଚର୍ଚ୍ଚାରେ ପ୍ରମୋଦ ଦଳପତି। ପ୍ରମୋଦଙ୍କୁ ଦିଲ୍ଲୀରୁ ଡକରା ଆସିଥିଲା। ଗତ ଗୁରୁବାର ସେ ଓ ବାପା ରାଜେନ୍ଦ୍ର ଦଳପତି ଦୁହେଁ ମିଶି ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରଶଂସାପତ୍ର ଗ୍ରହଣ କରି ଫେରିବା ପରେ ତାଙ୍କୁ ପରିବାର ଓ ଆତ୍ମୀୟ ସ୍ବଜନ ଏବଂ ଅଞ୍ଚଳବାସୀ ସୋମବାର ପୂର୍ବାହ୍ନରେ ଫୁଲମାଳ ପିନ୍ଧାଇ , ଡିଜେ ବଜାଇ ଶୋଭା ଯାତ୍ରାରେ ଘରକୁ ପାଛୋଟି ନେଇଥିଲେ। ଲଙ୍କାଗଡ଼ ପଞ୍ଚାୟତ, ତୁମୁଡିବନ୍ଧ ବ୍ଲକ , କନ୍ଧମାଳ ଜିଲା ପାଇଁ ଏବଂ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସୁନା ପୁଅ ପ୍ରମୋଦ। ଗାଁର ବୁଦ୍ଧିଜୀବୀ, ବୟୋଜ୍ୟୋଷ୍ଠ, ଗୁରୁଜନ ଏବଂ ସହପାଠୀ ପ୍ରମୋଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏହି ଅବସରରେ ଦୁର୍ଗମ ଲଙ୍କାଗଡ଼ ଯେଉଁଠି ନା ଅଛି ନେଟୱର୍କ, ନା ଉତ୍ତମ ରାସ୍ତାଘାଟ। ବିଦ୍ୟୁତ ଏଠି ବର୍ଷର ଅଧାଦିନ ରୁହେନି। ଏଭଳି ସ୍ଥିତିରେ ନିଜର ସଂଘର୍ଷମୟ ଯାତ୍ରା ଏବଂ ପାଇଥିବା ସଫଳତାର ସତ୍ୟତା ଗଣମାଧ୍ୟମ ଆଗରେ ବଖାଣିଥିଲେ। ତାଙ୍କର ଦରିଦ୍ରତା ଏବଂ ସକଳ ସମସ୍ୟା ମଧ୍ୟରେ ଯେଉଁ କୃତିତ୍ୱ ସେ ପାଇଛନ୍ତି ସେଥିପାଇଁ ନିଜ ପରିବାର, ଆତ୍ମୀୟସ୍ବଜନ, ଅଞ୍ଚଳବାସୀ ଏବଂ ଫୁଲବାଣୀ ସ୍ଥିତ ସରକାରୀ ITI କଲେଜର ଅଧ୍ୟାପକ ଅଧ୍ୟାପିକାଙ୍କୁ ଶ୍ରେୟ ଦେଇଛନ୍ତି । ଏହାସହିତ ନିଜ ଗାଁ ଲଙ୍କାଗଡ଼ର ପାଠୁଆ ଯୁବପିଢ଼ିଙ୍କୁ ସେ ଉତ୍ସାହିତ କରିଛନ୍ତି । ଅଞ୍ଚଳର ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କଲେ ଆଉ କେତେ ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ ହୋଇପାରିବ ବୋଲି ପ୍ରମୋଦ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *