ମିଛ ଚାକିରି ନାଁରେ ଠକେଇର ଶିକାର ହେଲେ ମହିଳା

ଅପରାଧ ଜିଲା ଖବର ବରଗଡ଼ ରାଜ୍ୟ
Spread the love

ଭଟଲି ୨୬/୧୦: ଝାଡୁଦାର ଚାକିରି ଦେବା ନାଁରେ ଗରିବ ଅନୁସୂଚିତ ଜାତି ବର୍ଗର ଲୋକଙ୍କଠୁ ଟଙ୍କା ଠକେଇ ଘଟଣାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲାରେ ଏହି ଠକେଇ ହୋଇଥିବା ଜଣାପଡ଼ିଥିବାବେଳେ ତଦନ୍ତକୁ ତ୍ୱରାନ୍ୱିତ କରିଛି ବରଗଡ଼ ଜିଲ୍ଲା ପୁଲିସ। ବରଗଡ଼ ଜିଲ୍ଲାରେ ଏହି ଠକେଇ ଗାଁଗାଁକୁ ବ୍ୟାପିଛି। ଭେଡ଼େନ ପୁଲିସ ଏହି ମାମଲାରେ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୂର୍ବରୁ ବୁର୍ଲା ପୁଲିସ ଏହି ମାମଲାର ଅନ୍ୟତମ କାର୍ପଟଦାର ପଦ୍ମାବତୀ ତାଣ୍ଡିଙ୍କୁ ଗିରଫ କରିଥିଲା। ଆଜି ତାଙ୍କ ସ୍ୱାମୀ କଷ୍ଟ ତାଣ୍ଡି, ଭାଇ ମନୋରଞ୍ଜନ ଭଏନା ଏବଂ ଭଉଣୀ ସୁବଳୟା ଭଏନାଙ୍କୁ ଗିରଫ କରିଛି ଭେଡ଼େନ ପୁଲିସ। ସେମାନଙ୍କ ପାଖରୁ ନଗଦ ୫୪ ହଜାର ୨୫୦ ଟଙ୍କା, ଗୋଟିଏ ସ୍କୁଟି, ୨ଟି ମୋବାଇଲ ସହ ସେମାନଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ କାଗଜପତ୍ର ପୁଲିସ ଜବତ କରିଥିବା ସୂଚନା ମିଳିଛି। ସେହିପରି ଭଟଲି ପୁଲିସ ଏ ସଂକ୍ରାନ୍ତରେ ଅଭିଯୋଗ ପାଇବା ପରେ କିଛି ମଧ୍ୟସ୍ଥଙ୍କୁ ଥାନାକୁ ଡାକି ପଚରାଉଚୁରା କରିଛି।
ଶନିବାର ଦିନସାରା ଭେଡ଼େନ ଥାନାରେ ଠକେଇର ଶିକାର ହୋଇଥିବା ମହିଳାଙ୍କ ଭିଡ଼ ଜମିଥିଲା। ୧୩ ହଜାର ଟଙ୍କା ସିକ୍ୟୁରିଟି ଡିପୋଜିଟ୍‌ ବାବଦକୁ ନେଇ କିଭଳି ସେମାନେ ଠକେଇର ଶିକାର ହୋଇଛନ୍ତି ତାହା ପୁଲିସକୁ ଜଣାଇଥିଲେ। ରେମଣ୍ଡା, ବୁଦେଲବାହାଲି, ଛନାପତିଟିକ୍ରା, ଯୁଗୀପାଲି, କଣ୍ଟାପାଲି, ଗୁରୁପାଲି, ସଂକିର୍ଡା, ନାଗପାଲି, ମାନପୁର ଗାଁର ମହିଳାମାନେ ଥାନାକୁ ଆସି ଅଭିଯୋଗ କରିଥିଲେ। ଭେଡ଼େନ ପୁଲିସ ୩ ଅଭିଯୁକ୍ତଙ୍କୁ ଧରିବା ପରେ ମହିଳାମାନେ କିଛି ସମୟ ହୋହାଲ୍ଲା କରି ତାଙ୍କ ହାତରେ ଅଭିଯୁକ୍ତଙ୍କୁ ଛାଡ଼ିଦେବାକୁ ପୁଲିସ ନିକଟରେ ଦାବି କରିଥିଲେ। ଯାହା ଟଙ୍କା ନେଇଛନ୍ତି, ସବୁ ଫେରାଇବାକୁ ସେମାନେ ଅଡ଼ି ବସିଥିଲେ। ଭେଡ଼େନ ଥାନାରେ ଅନ୍ୟ କିଛି ଲୋକଙ୍କ ନାମରେ ମଧ୍ୟ ମହିଳାମାନେ ଅଭିଯୋଗ କରିଛନ୍ତି। ପୁଲିସ ଆଉ କିଛି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସେହିପରି ଆଜି ଭଟଲି ଥାନା ଅନ୍ତର୍ଗତ କମଗାଁର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ପୂର୍ବରୁ ଭଟଲି ଥାନାରେ ବାଞ୍ଜିପାଲି ଗାଁର ଶ୍ରବଣ ତାଣ୍ଡି ନାମକ ଜଣେ ଯୁବକଙ୍କ ନାମରେ ଅଭିଯୋଗ କରିଥିଲେ। ଯୁବକ ଜଣକ ଭଟଲିରେ ରାସ୍ତା ଝାଡୁ କରିବା କାମରେ ନିଯୁକ୍ତି ଦେବ ଓ କାମ ବନ୍ଦ ହେଲେ ଟଙ୍କା ଫେରସ୍ତ ହେବ ବୋଲି କହିଥିଲା। ପୁଲିସ ମାମଲା ରୁଜୁ କରିଥିଲେ ବି ଅଭିଯୁକ୍ତ ଧରାପଡ଼ି ନାହିଁ କି ସେମାନେ ତାଙ୍କ ଟଙ୍କା ଫେରି ପାଇନାହାନ୍ତି। ତେଣୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗପତ୍ର ଦେଇଛନ୍ତି। ବରଗଡ଼ ଜିଲ୍ଲାରେ ବହୁ ସଂଖ୍ୟାରେ ମହିଳା ଏହି ଠକେଇର ଶିକାର ହୋଇଛନ୍ତି। ଠକେଇର ମୁଖ୍ୟ କୁହାଯାଉଥିବା ପଦ୍ମାବତୀ ତାଣ୍ଡୀଙ୍କ ଭିନ୍ନ ଭିନ୍ନ ଭିଡିଓ ଏବେ ଭାଇରାଲ ହେଉଛି। ବରଗଡ଼ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *