ନୂଆଦିଲ୍ଲୀ,୨୬/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ବାଦିଷ୍ଟ। କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ। ଚାକିରି ଛାଡ଼ି କଫି ଚାଷରେ ଅନେକ ଲୋକ ମନ ବଳାଉଛନ୍ତି। କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି।ସେହିପରି ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଛଟ୍ ପର୍ବର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଛଟ୍ ପର୍ବ ହିଁ ଏକତାର ପ୍ରତୀକ ଅଟେ। ସମାଜର ପ୍ରତ୍ୟେକ ବର୍ଗ ଛଟ ଘାଟରେ ଏକାଠି ଠିଆ ହୋଇଛନ୍ତି, ଯାହା ଭାରତର ସାମାଜିକ ଏକତାର ସବୁଠାରୁ ସୁନ୍ଦର ଉଦାହରଣ। ସେ ସମସ୍ତ ଦେଶବାସୀଙ୍କୁ ବାର୍ତ୍ତା ଦେଇଥିଲେ ଯେ, ସେମାନେ ଦେଶ କିମ୍ବା ବିଶ୍ୱର ଯେଉଁଠାରେ ଥାଆନ୍ତୁ ନା କାହିଁକି, ସେମାନେ ଏହି ମହାନ ଛଟ ପର୍ବରେ ଅଂଶଗ୍ରହଣ କରିବା ଏବଂ ଏହାକୁ ଅନୁଭବ କରିବା ଉଚିତ। ସେ ବିଶେଷକରି ବିହାର, ଝାଡ଼ଖଣ୍ଡ ଏବଂ ପୂର୍ବାଞ୍ଚଳର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଏଥିରେ ପ୍ରଧାନମନ୍ତ୍ରୀ ଅପରେଶନ ସିନ୍ଦୂର କଥା କହିବା ସହ ସ୍ବଦେଶୀ ଉତ୍ପାଦ କିଣିବାକୁ ଜନସାଧାରଣଙ୍କୁ ଆହ୍ବାନ ବି ଦେଇଛନ୍ତି। GSTକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି। ବଜାରରେ ସ୍ବଦେଶୀ ଜିନିଷ ପ୍ରତି ଆଗ୍ରହ ବଢିବାରେ ଲାଗିଛି କହିଛନ୍ତି ପ୍ରଧାନମନ୍ତ୍ରୀ ।
