ମହାକାଳପଡ଼ାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ଅପରାଧ କେନ୍ଦ୍ରାପଡ଼ା ଜିଲା ଖବର ରାଜ୍ୟ
Spread the love

ମହାକାଳପଡ଼ା, ୨୬/୧୦: ମହାକାଳପଡ଼ା ବ୍ଲକ୍‌ ସୁନୀତି ପଞ୍ଚାୟତରେ ଆଜି ଦୁର୍ବୃତ୍ତଙ୍କ ଆତଙ୍କରାଜକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍‌ ଆରୋହୀଙ୍କ ସମେତ ଜଣେ ମହିଳାଙ୍କୁ ମାଡ଼ ମାରିଛନ୍ତି। ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିଛନ୍ତି। ଏହି ଘଟଣାର ପ୍ରତିବାଦରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିବା ସହ ୫ ଘଣ୍ଟା ଧରି ପୁଲିସକୁ ଅଟକ ରଖିଛନ୍ତି।

ସୂଚନା ଅନୁଯାୟୀ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟାରେ ବେଣାକନ୍ଦା ଗ୍ରାମର ଦୁଇଜଣ ଯୁବକ ଏକ ବାଇକ୍‌ରେ ଯାଉଥିବା ବେଳେ କୌଣସି କାରଣରୁ ସୁନୀତି ପଞ୍ଚାୟତର କଣ୍ଟିଲୋ ନିକଟରେ ରାସ୍ତା କଡ଼କୁ ପଡିଯାଇଥିଲେ। ସେଠାରେ ଏକ କାର୍‌ରେ ବସିଥିବା ୪ ଜଣ ଯୁବକ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ସାହାଯ୍ୟ କରିବା ବଦଳରେ ଓଲଟା ମାଡ଼ ମାରି ରକ୍ତାକ୍ତ କରିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା କଣ୍ଟିଲୋ ଗ୍ରାମର ପ୍ରମିଳା ଦାସ ଏହି ୪ ଯୁବକଙ୍କୁ ପ୍ରତିରୋଧ କରିଥିଲେ। କିନ୍ତୁ ସେମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପାଟିତୁଣ୍ଡ ଶୁଣି ଲୋକମାନେ ରୁଣ୍ଡ ହୋଇଯାଇଥିଲେ। ଏହି ଯୁବକମାନେ କାର୍‌ ଭିତରୁ ଦୁଇଟି ଖଣ୍ଡା ବାହାର କରି ଲୋକମାନଙ୍କୁ ଭୟଭୀତ କରି ଖସିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଲୋକମାନେ ଉକ୍ତ ଯୁବକମାନଙ୍କ ମଧ୍ୟରୁ ଅର୍ଜୁନ ମାନ୍ନାକୁ କାବୁ କରି ନେଇଥିଲେ। ଅନ୍ୟମାନେ ସେଠାରୁ ବିଲ ଭିତରେ ଦୌଡ଼ି ପଳାଇ ଥିଲେ। ଖବର ପାଇ ତନ୍ତିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଜୁନକୁ ଥାନାକୁ ନେଇଥିଲା। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତମାନଙ୍କ ଦ୍ୱାରା ବ୍ୟବହୃତ କାର୍‌ କାଚ ଭାଙ୍ଗି ଦେଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଦାବିରେ କଣ୍ଟିଲୋ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ରାସ୍ତାରୋକ ହଟାଇବା ପାଇଁ ତନ୍ତିଆପାଳ ପୁଲିସ ପହଞ୍ଚିବାରୁ ଲୋକମାନେ ପୁଲିସକୁ ୫ ଘଣ୍ଟା ଧରି ଅଟକ ରଖିଥିଲେ। ସ୍ଥାନୀୟ କେତେକ ଭଦ୍ରବ୍ୟକ୍ତି ଓ ସରପଞ୍ଚ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ ହେଁ ସେମାନେ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ ରାଜନଗର ଥାନା ଅଧିକାରୀ ନରେଶ ସାହୁ, ମହାକାଳପଡ଼ା ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର, କେନ୍ଦ୍ରାପଡ଼ା ଆଇଆଇସି ସରୋଜ ସାହୁ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଅନ୍ୟ ଅଭିଯୁକ୍ତମାନେ ଧରା ନ ହେଲେ ସେମାନେ ରାସ୍ତାରୋକରୁ ହଟିବେନି ବୋଲି ଲୋକେ ରୋକଠୋକ ଶୁଣାଇଥିଲେ। ତେବେ କଣ୍ଟିଲୋ ଗ୍ରାମସ୍ଥିତ ଅଭିଯୁକ୍ତ ଅର୍ଜୁନର ଜଣେ ସମ୍ପର୍କୀୟଙ୍କ ଘରେ ଦୁଇ ଅଭିଯୁକ୍ତ ଲୁଚିଥିବା ସୂଚନା ପାଇ ପୁଲିସ ସେଠାରେ ଚଢଉ କରି ସେମାନଙ୍କୁ ଧରିଥିଲା। ଏହି ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣକଙ୍କ ଘର ଯାଜପୁର ଓ ଅନ୍ୟ ଜଣକଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ। ଅଭିଯୁକ୍ତ ଅର୍ଜୁନର ଘର ସୁନୀତି ପଞ୍ଚାୟତର ନୂଆଫିଲଡ଼ ଗ୍ରାମରେ। ତା’ ନାମରେ ପୂର୍ବରୁ ଅନେକ ମାମଲା ରହିଛି। ୩ ଅଭିଯୁକ୍ତ ଥାନାରେ ଅଟକ ଥିବା ବେଳେ ଜଣେ ଫେରାର ଅଛି। ଅନ୍ୟପଟେ ସନ୍ଧ୍ୟା ପ୍ରାୟ ସାଢେ ୬ ଟା ବେଳେ ଉତ୍ତେଜନା ସ୍ଥଳରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ପହଞ୍ଚିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା। ଆକ୍ରମଣର ଶିକାର ମହିଳା ପ୍ରମିଳା ଦାସଙ୍କ ଏତଲା କ୍ରମେ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *