ମାହାଙ୍ଗା, ୨/୧୧ : ମୂଳବସନ୍ତ ପଞ୍ଚାୟତ ହଂସଦିଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ମାଆ ତାରିଣୀଙ୍କ ତ୍ରୟୋଦଶ ତମ ବାର୍ଷିକ ଉତ୍ସବ ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l କୁହୁଣ୍ଡା ଓ ହଂସଦିଆ ଗ୍ରାମର ସୀମାନ୍ତରେ ଅବସ୍ଥିତ ଏହି ମନ୍ଦିର ହେଉଛି ଶ୍ରଦ୍ଧାଳୁ ମାନଙ୍କ ଆସ୍ଥା ଓ ବିଶ୍ୱାସର ପୁଣ୍ୟ ପୀଠ l ଏଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଯଜ୍ଞ, ଦାନ, ଭଜନ କୀର୍ତ୍ତନ ଏବଂ ହରିହାଟରେ ପ୍ରସାଦ ସେବନ ବ୍ୟବସ୍ଥା କରାଯିବା ଦେଖିବାକୁ ମିଳିଥିଲା l ବାର୍ଷିକ ଉତ୍ସବ ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମାଆଙ୍କ ପରମ ସେବକ ବସନ୍ତ କୁମାର ପଣ୍ଡା କର୍ତ୍ତା ଭାବେ ସକଳ ଦାୟୀତ୍ୱ ନିର୍ବାହ କରିଥିଲେ l ମାଆଙ୍କ ପୀଠରେ ରୀତି ନୀତି ଅନୁଯାୟୀ ବିଶ୍ୱ କଲ୍ୟାଣ ନିମନ୍ତେ ଯଜ୍ଞର ଆୟୋଜନ କରାଯାଇଥିଲା l ଏହି ପବିତ୍ର କାର୍ଯ୍ୟକୁ ବ୍ରାହ୍ମଣ ଏବଂ ପୁରୋହିତଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା l ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ଏହି ପବିତ୍ର ପୀଠରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l ମାଆ ତାରିଣୀ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଶାନ୍ତି ଶୃଙ୍ଖଳାର ସହିତ ବାର୍ଷିକ ଉତ୍ସବ ଏବଂ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
