୬ଟି ପର୍ଯ୍ୟଟନ ସ୍ଥଳୀରେ ଇକୋ-ରିଟ୍ରିଟ୍‌

ଭୁବନେଶ୍ୱର ମନୋରଞ୍ଜନ ରାଜ୍ୟ
Spread the love

ଭୁବନେଶ୍ବର, ୩/୧୧: ରାଜ୍ୟ ପର୍ଯ୍ୟଟନ ବିଭାଗ ଚଳିତ ମାସ ୧୫ରେ ଦାରିଙ୍ଗବାଡ଼ି, ହୀରାକୁଦ, ସାତକୋଶିଆ, ଭିତରକନିକା, ପତିସୋନାପୁର ଏବଂ ପୁଟସିଲ୍‌ରେ ଇକୋ-ରିଟ୍ରିଟ୍‌ ଆରମ୍ଭ କରିବ। ଡିସେମ୍ବର ‌୧୩ରେ କୋଣାର୍କରେ ଇକୋ-ରିଟ୍ରିଟ୍‌ ଆରମ୍ଭ ହେବ। ଏଥିପାଇଁ ବିଭାଗ ପକ୍ଷରୁ ଅନ୍‌ଲାଇନ ବୁକିଂ ଆରମ୍ଭ ହୋଇଛି। ଗତବର୍ଷ ଏହି ସମୟରେ ୭% ବୁକିଂ ହୋଇଥିବା ବେଳେ ଏବର୍ଷ ବୁକିଂ ୧୬%କୁ ବୃଦ୍ଧି ହୋଇଛି। ପର୍ଯ୍ୟଟନ ବିଭାଗ ଇକୋ-ରିଟ୍ରିଟ୍‌ ମାଧ୍ୟମରେ ବିଦେଶୀ ପର୍ଯ୍ୟଟକଙ୍କୁ ଗ୍ରାମୀଣ ଲୋକଙ୍କ ଚାଲିଚଳଣ, କଥାବାର୍ତ୍ତା, ସଂସ୍କୃତି, ଯାନିଯାତ୍ରା, ଅଙ୍ଗନବାଡ଼ି ଓ ସ୍କୁଲ ପରିବେଶ ଶିକ୍ଷାର ଅଭିବୃଦ୍ଧି, ଖେଳ କସରତ ଏବଂ ଦୈନିକ ନିର୍ବାହ କରୁଥିବା ଜୀବନଶୈଳୀ ସହିତ ତାଙ୍କ ଦ୍ବାରା ପ୍ରସ୍ତୁତ କୃଷିଜାତ ସାମଗ୍ରୀ ଏବଂ ହାତବୁଣା ସାମଗ୍ରୀ ବିଷୟରେ ଅବଗତ କରାଇବ।ଏହାସହ ଏହାର ବ୍ୟବହାର ଓ ଚାହିଦା ସମ୍ପର୍କରେ ଜଣାଇବାକୁ ପ୍ରୟାସ କରିବ।

କୋଣାର୍କ ଇକୋ-ରିଟ୍ରିଟ୍‌ରେ ଡିଲକ୍ସ, ପ୍ରିମିୟମ, ରୟାଲ ଓ ରେସିଡେନ୍ସିର ସୁବିଧା ଉପଲବ୍ଧ ହୋଇଥିବା ବେଳେ ହୀରାକୁଦର ଇକୋ-ରିଟ୍ରିଟ୍‌ରେ କେବଳ ପ୍ରିମିୟମ ଓ ଅନ୍ୟ ଇକୋ-ରିଟ୍ରିଟ୍‌ରେ ଡିଲକ୍ସ ଓ ପ୍ରିମିୟମ ବୁକିଂ ସୁବିଧା କରାଯାଇଛି। କୋଣାର୍କରେ ସର୍ବାଧିକ ୭୦ଟି ଟେଣ୍ଟ ନିର୍ମାଣ ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟ ୫ଟି ଇକୋ-ରିଟ୍ରିଟ୍‌ରେ ଡିଲକ୍ସ ୨୫ ଓ ପ୍ରିମିୟମ ପାଇଁ ୨୫ ଟେଣ୍ଟ ଏବଂ ହୀରାକୁଦରେ କେବଳ ୨୫ଟି ପ୍ରିମିୟମ ଟେଣ୍ଟ ନିର୍ମାଣ ବ୍ୟବସ୍ଥା ହୋଇଛି। ଡିଲକ୍ସ ବୁକିଂ ଶୁଳ୍କ ୫୪୦୦, ପ୍ରିମିୟମର ବୁକିଂ ଶୁଳ୍କ ୭୦୦୦, ରୟାଲ ବୁକିଂ ଶୁଳ୍କ ୧୦,୦୦୦ ଓ ପ୍ରେସିଡେନ୍ସିଆଲ ବୁକିଂ ଶୁଳ୍କ ୨୦,୦୦୦ ଟଙ୍କା ରଖାଯାଇଛି।ନୂଆବର୍ଷ ଦିନ କୋଣାର୍କରେ ଡିଲକ୍ସ ବୁକିଂ ଶୁଳ୍କ ୯୦୦୦ଟଙ୍କା, ପ୍ରିମିୟମ ୧୧,୦୦୦, ରୟାଲ ୧୬,୦୦୦ ପ୍ରେସିଡେନ୍ସିଆଲ ବୁକିଂ ୩୦,୦୦୦ ଟଙ୍କା ରଖାଯାଇଛି। ସେହିପରି ସପ୍ତାହର ଶନିବାର ଓ ରବିବାର ଛୁଟି ଦିନରେ ଡିଲକ୍ସ ୭୭୦୦, ପ୍ରିମିୟମ ୯୬୦୦, ରୟାଲ ୧୩,୦୦୦ ଓ ପ୍ରେସିଡେନ୍ସିଆଲ ବୁକିଂ ଶୁଳ୍କ ୨୪,୦୦୦ ଟଙ୍କା ରଖାଯାଇଛି।

ସେହିପରି ଅନ୍ୟ ଇକୋ-ରିଟ୍ରିଟ୍‌ ସ୍ଥାନରେ ଡିଲକ୍ସର ନୂଆବର୍ଷ ଦିନର ବୁକିଂ ଶୁଳ୍କ ୮୦୦୦ ଟଙ୍କା ରଖାଯାଇଥିବା ବେଳେ ପ୍ରିମିୟମର ନୂଆବର୍ଷ ବୁକିଂ ଶୁଳ୍କ ୯୦୦୦ ଟଙ୍କା ରଖାଯାଇଛି।ସେହିପରି ଶନିବାର ଓ ରବିବାର ଛୁଟି ଦିନରେ ଡିଲକ୍ସ ବୁକିଂ ଶୁଳ୍କ ୬୭୦୦ଟଙ୍କା ରଖାଯାଇଥିବା ବେଳେ ପ୍ରିମିୟମ ବୁକିଂ ଶୁଳ୍କ ୭୭୦୦ଟଙ୍କା ରଖାଯାଇଥିବା କୁହାଯାଇଛି। ଇକୋ-ରିଟ୍ରିଟ୍‌ ଟେଣ୍ଟରେ ପର୍ଯ୍ୟଟକଙ୍କ ପାଇଁ ଉନ୍ନତମାନର ଖାଦ୍ୟ, ପାନୀୟ, ବିଳାସପୂର୍ଣ୍ଣ ରହଣି ଓ ମନୋରଞ୍ଜନ ପାଇଁ ନାଚଗୀତ ସାଙ୍ଗକୁ ଜଳକ୍ରୀଡ଼ା, ବୋଟିଂ ଓ ସାଇକେଲ ଚାଳନା ସୁବିଧା ଉପଲବ୍ଧ ରହିଛି।

Leave a Reply

Your email address will not be published. Required fields are marked *