ଉଦ୍‌ଘାଟନ ପୂର୍ବରୁ ଉଜୁଡ଼ିଲାଣି ଆଦିବାସୀ ସଂଗ୍ରହାଳୟ

କେନ୍ଦୁଝର ଜିଲା ଖବର ରାଜ୍ୟ
Spread the love

ଘଟଗାଁ, ୧୦/୧୧: ଉଦ୍‌ଘାଟନ ପୂର୍ବରୁ ଉଜୁଡ଼ିଗଲାଣି ଘଟଗାଁରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ। କେନ୍ଦୁଝର ଜିଲ୍ଲାର ଆଦିବାସୀ ପରମ୍ପରା ଓ ଐତିହ୍ୟକୁ ପର୍ଯ୍ୟଟକ ତଥା ଗବେଷକଙ୍କ ସାମନାରେ ଉପସ୍ଥାପନ ପାଇଁ ଏହାର ପରିକଳ୍ପନା କରାଯାଇଥିଲା। ପ୍ରାୟ ୨କୋଟି ୨ଲକ୍ଷ ଟଙ୍କା ବ୍ୟୟରେ ୫ବର୍ଷ ତଳୁ ଏହାର ନିର୍ମାଣ ସରିଥିଲେ ମଧ୍ୟ ଏହା କେବେ ଖୋଲିବ, ତାହାର ଉତ୍ତର ମିଳୁନାହିଁ। ଅବ୍ୟବହୃତ ହୋଇ ପଡ଼ିରହିଥିବାରୁ ଦୁର୍ବୃତ୍ତମାନେ ଏହାର ଝରକା ଗ୍ରିଲ୍‌, କାଚ ଭାଙ୍ଗିସାରିଲେଣି। ଏସବୁ ଚୋରି ହୋଇଯିବାର ମଧ୍ୟ ଆଶଙ୍କା ରହିଛି। ଏହାର ପରିସର ଅନାବନା ଗଛଲତାରେ ଘେରିଯାଇଥିବାରୁ ଭୂତକୋଠି ପାଲଟିଲାଣି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ପୂର୍ତ୍ତ ବିଭାଗ ଦ୍ବାରା ନିର୍ମିତ ଏହି ତିନିମହଲା କୋଠାକୁ ଦୁଇବର୍ଷ ତଳେ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ଆଦିବାସୀ ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲିବ ବୋଲି ଆଶା କରାଯାଉଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ନିକଟରେ ନିର୍ମାଣ ହୋଇଥିବା ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ ଲୋକାର୍ପିତ ହୋଇଥିବାବେଳେ ଆଦିବାସୀ ସଂଗ୍ରହାଳୟରେ ତାଲା ଝୁଲୁଛି। ଏହି ସଂଗ୍ରହାଳୟଟି ମା’ ତାରିଣୀଙ୍କ ପୀଠରୁ ମାତ୍ର ୨ କିଲୋମିଟର ଦୂରରେ ରହିଛି।ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ଆସୁଥିବାବେଳେ ସେମାନଙ୍କୁ କେନ୍ଦୁଝରରେ ବାସ କରୁଥିବା ବିଭିନ୍ନ ଜନଜାତି ଲୋକଙ୍କ କଳା, ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀ ସମ୍ପର୍କରେ ପରିଚିତ କରିବାର ଏହା ଏକ ପ୍ରକୃଷ୍ଟ ମାଧ୍ୟମ। ମାତ୍ର ଏହାକୁ ଉଦ୍‌ଘାଟନ କରାଯାଉ ନାହିଁ କି ରକ୍ଷଣାବେକ୍ଷଣ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନାହିଁ। ଅନ୍ୟପଟେ ପର୍ଯ୍ୟଟନ ବିଭାଗର ପରିଚାଳନାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। କାରଣ ଏହି ବିଭାଗର ଉଦାସୀନତା କାରଣରୁ ଘଟଗାଁଠାରୁ ୫କିମି ଦୂରରେ ୭କୋଟି ଟଙ୍କାରେ ନିର୍ମିତ ସୁବିଧାକେନ୍ଦ୍ର ଭଙ୍ଗାରୁଜା ହୋଇ ଭୂତକୋଠି ପାଲଟିଛି। ସେଠାରେ ଲାଗିଥିବା ପ୍ରାୟ ୨୦ ଲକ୍ଷ ଟଙ୍କାର ଉପକରଣକୁ ଦୁର୍ବୃତ୍ତମାନେ ନେଇଯାଇଛନ୍ତି। ପ୍ରଶାସନିକ ଉଦାସୀନତା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ସଂଗ୍ରହାଳୟ କୋଠା ମଧ୍ୟ ନଷ୍ଟ ହେବାକୁ ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ କହିଛନ୍ତି, ଗତବର୍ଷ ଆମକୁ କୋଠା ହସ୍ତାନ୍ତର କରାଯାଇଛି। ସଂଗ୍ରହାଳୟ ଖୋଲିବା ପାଇଁ ଜିଲ୍ଲାପାଳ, ବିଭାଗୀୟ ମନ୍ତ୍ରୀ ଓ ଆର୍‌ଡିସିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବିଭିନ୍ନ ଉପକରଣ ଆସିଲେ ଖୁବ୍‌ଶୀଘ୍ର ଏହାକୁ ଖୋଲାଯିବ। ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିବାର ଯୋଜନା ରହିଛି।

Leave a Reply

Your email address will not be published. Required fields are marked *