ଢେଙ୍କାନାଳ, ୨୨/୧୧: ଢେଙ୍କାନାଳ ଜିଲାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଟଙ୍କା ଆତ୍ମସାତ କରି ଗିରଫ ହୋଇଛନ୍ତି ବରିଷ୍ଠ କିରାଣୀ ମନୋରଂଜନ ସାହୁ । ସେ ହିନ୍ଦୋଳ ସବ ଟ୍ରେଜେରୀ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ସମୟରେ ଟଙ୍କା ନାମରେ ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ସେ ଦୀର୍ଘ ଦୁଇ ବର୍ଷ ଧରି ଫେରାର ଥିଲେ । ମନୋରଂଜନ ୬୮ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆସିଥିଲା । ଗତକାଲି ରାତିରେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।ଆଜି ଅଭିଯୁକ୍ତଙ୍କୁ ଢେଙ୍କାନାଳ ଭିଜିଲାନ୍ସ ଅଦାଲତକୁ ନିଆଯାଇଛି । ସେ ମୋଟ ୬୮,୮୫,୪୯୭ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ଠାରୁ ସେ ପେନସନ ବାବଦରେ ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ଟଙ୍କା ସେ ନିଜ ଆକାଉଣ୍ଟ ଓ ସମ୍ପର୍କୀୟଙ୍କ ଆକାଉଣ୍ଟ ମାଧ୍ୟମରେ ଆଦାୟ କରୁଥିଲା । ଘଟଣାର ଅଧିକ ତଦନ୍ତ କରୁଛି ଭିଜିଲାନ୍ସ ।
