ଆନ୍ତଃ ଜିଲା ୫ ଡକାୟତ ଗିରଫ

ଅପରାଧ ବଲାଙ୍ଗୀର
Spread the love

ବଲାଙ୍ଗୀର, ୩/୧୨: ବଲାଙ୍ଗୀର ଜିଲା ଆଗଲପୁର ବ୍ଳକର ରୋତ ବଜାରକୁ ଗାଈଗୋରୁ, ଛେଳିମେଣ୍ଢା କିଣିବାକୁ ଯାଉଥିବା ବୁଢୀସିଣ୍ଢୋଲ ଗାଁର ଦୁଇଜଣ ବେପାରୀଙ୍କୁ ପୁଇଁତଲା ଥାନା ବନ୍ଦନାକଟା ଗାଁ ନିକଟରେ ଅଟକାଇ ୭/୮ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ସେମାନଙ୍କ ଠାରୁ ୨ ଲକ୍ଷ ୨ ହଜାର ୫ ଶହ ଟଙ୍କା ଲୁଟ କରିନେଇଥିଲେ। ଗତ ୨୮ ତାରିଖ ଭୋର ପ୍ରାୟ ସାଢ଼େ ୫ଟା ବେଳେ ଏହି ଘଟଣା ଘଟିଥିଲା। ଏନେଇ ଦୁଇ ବେପାରୀ ପୁଇଁତଲା ଥାନାରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ଏସପି ଅଭିଳାଷ ଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଦର ଏସଡିପିଓ ସରୋଜ ଉପାଧ୍ୟାୟ ଓ ପୁଇଁତଲା ଥାନା ଆଇଆଇସି ତଥା ଡିଏସପି ଅନୀତା ପ୍ରଧାନ ଘଟଣାର ତଦନ୍ତ କରିଥିଲେ। ଲୁଟ୍‌ କରିଥିବା ଡକାୟତମାନଙ୍କୁ ଧରିବା ପାଇଁ ପୋଲିସର ଏକ ସତନ୍ତ୍ର ଟିମ ତିଆରି କରି ଖୋଜା ଖୋଜି ଆରମ୍ଭ କରିଥିଲେ । ଏହି ଘଟଣାରେ ୫ ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯୭ ହଜାର ୯୩୦ ଟଙ୍କା, ଏକ କାର୍‌, ଏକ ବାଇକ, ୭ଟି ମୋବାଇଲ ଫୋନ ଓ ଏକ ଭୂଜାଲି ପୋଲିସ ଜବତ କରିଛି। ବଲାଙ୍ଗୀର ଏସପି ଅଭିଳାଷ ମଙ୍ଗଳବାର ଖବରଦାତା ସମ୍ମିଳନୀ କରି ଡକାୟତି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *