ଝଙ୍କଡ଼, ୭/୧୨: ମନ୍ଦିର ମାଳିନୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡିଶା ର ପ୍ରାଚୀନ ପ୍ରସିଦ୍ଧ ଶକ୍ତିପୀଠ, ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନଲାଭ ଓ ପୀଠ ପରିଭ୍ରମଣ ନିମନ୍ତେ ପ୍ରତିବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ମାତ୍ରେ ବିପୁଳ ଜନସମାଗମ ରେ ଚଳଚଞ୍ଚଳ ହୋଇ ଉଠେ ମାଆଙ୍କର ପୀଠସ୍ଥଳି l କଟକ ପାରାଦ୍ୱୀପ ରାଜପଥ ର ଠିକ ମଧ୍ୟବର୍ତ୍ତୀ ସ୍ଥାନ ସାରଳାରୋଡ଼ ( ଦୋସଡିକ ) ଛକ ରୁ ମାତ୍ର ଛଅ କିଲୋମିଟର ଓ ରେଳପଥରେ ଝଙ୍କଡ଼ ସାରଳାରୋଡ଼ ପି ଏଚ ଠାରୁ ମାତ୍ର ଏକ କିଲୋମିଟର ଦକ୍ଷିଣଦିଗରେ ସାରଳା ପୀଠ ଅବସ୍ଥିତ l ମାଆଙ୍କ ବିଜେସ୍ଥଳୀ କୁ କନକ ପୁର ବୋଲି କୁହାଯାଉଥିଲେ ମଧ୍ୟ ଏହି ରାଜସ୍ବଗ୍ରାମର ନାମ ହେଉଛି, କୁଟିଳଗ୍ରାମ ଦୟାଳପୁର l ପୀଠକୁ ପ୍ରବେଶ କରିବା ପଥରେ ସାରଳାରୋଡ଼ ରେ ସାରଳାଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ଆଉଟିକେ ଆଗକୁ ଗଲେ ଆଖଣ୍ଡଳମଣିମନ୍ଦିର, ତେନ୍ତୁଳିପଦା ଗ୍ରାମ ର ପୂର୍ବଭାଗରେ ମା ବିଲ୍ଵସାରଳା ମନ୍ଦିର ଗାଁ ମଝିରେ ସାରଳାଦାସ ଙ୍କ ଗାଦିଗୋସେଇଁ, ପଶ୍ଚିମପାର୍ଶ୍ୱରେ ଗୋପୀନାଥ ଜୀଉ ଙ୍କ ପରେ କୁଳୁସାହି ଛକ ର ଅନତିଦୂରରେ ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ସମାଧିପୀଠ ବୃଦ୍ଧମାତାଙ୍ଗୀ ନଦୀ ( ବୁଡୁନଈ ) କୁଳରେ ଦେଖିବାକୁ ମିଳିଥାଏ l ରେଳଷ୍ଟେସନ ପାଖରେ ଶନିଦେବ ଙ୍କ ସୁରମ୍ୟ ମନ୍ଦିର ଓ ସାରଳାହାଟ କେନାଲ ପୋଲ ପାଖରେ ହନୁମାନଜୀଉ ଙ୍କ ମନ୍ଦିର ପରେ ମାଆଙ୍କ ମନ୍ଦିରର ମାତ୍ର ଶହେମିଟର ପୂର୍ବରୁ ବ୍ରଜବିହାରୀ ମଠ ପଡିଥାଏ l ସେହିପରି ସାରଳା ପୀଠରୁ ଶ୍ରୀକ୍ଷେତ୍ର ପୁରୀ ଯିବା ବାଟରେ ନିକଟସ୍ଥ କଣ୍ଟାପଡl ଗ୍ରାମ ରେ ରାଜବଂଶୀୟ ଠାକୁର ଗୋପାଳଜୀଉ ଓ ଦଳିଆଛକ ରେ ଐତିହାସିକ ମୁଣ୍ଡଟଙ୍ଗା ବରଗଛ ଓ କାଳୀମନ୍ଦିର ଦେଖିବାକୁ ମିଳିଥାଏ l
ସାରଳା ପୀଠ ର ପଶ୍ଚିମ ପାର୍ଶ୍ଵରେ ମଧ୍ୟ ଗୋବିନ୍ଦଜୀଉ ମଠ, ସାରଳା ପର୍ଶୁରାମ ସ୍ମୃତିପୀଠ, ସାରଳାଙ୍କ ପ୍ରାଚୀନ ପୀଠ ସ୍ଥଳୀ ବଡସାରୋଳ ଗ୍ରାମର ଲଣ୍ଡା ଦେଉଳ ଓ ଗଣେଷ ମନ୍ଦିର,ପରେ ମୂଳିସିଂହ ରେ ରସିକଲାଲ ଓ ମା ସାରଳା ଙ୍କର ପାତାଳି କ୍ଷେତ୍ର ଗୁପ୍ତମାଣିକl ପୀଠ ପରେ ପରେ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ବିଭୁତିକ୍ଷେତ୍ର ର ଅଧିଶ୍ୱର ବାବା ଗୋରେଖନାଥ ଙ୍କ ମଠ ପଡିଥାଏ l ତେବେ ସାରଳାପୀଠ କୁ ଆସୁଥିବା ପ୍ରାୟ ଅଧିକାଂଶ ଯାତ୍ରୀ ଓ ପର୍ଯ୍ୟଟକ ମାନେ ଏହି ଆକର୍ଷଣୀୟ ଗୋରେଖମଠ ଦର୍ଶନ ନିମନ୍ତେ ଯାଇଥାନ୍ତି l ବିଗତ ସରକାର ଙ୍କ 42 କୋଟିଟଙ୍କା ଆର୍ଥିକ ଅନୁଦାନ ରେ ସାରଳାପୀଠର ନବୀକରଣ ର କାମ ହେବା ପରେ ଏହା ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇଥିଲେ ମଧ୍ୟ, ସାରଳାମନ୍ଦିର ପ୍ରଶାସନ ଓ ଜିଲ୍ଲାପ୍ରଶାସନ ର ଅଣଦେଖା ଓ ଅବହେଳା ଯୋଗୁଁ ଏଠାରେ ଦୀର୍ଘ ଦୁଇବର୍ଷ ପୂର୍ବରୁ ନିର୍ମାଣ ସରିବାପରେ ଏବଂ ଭରଚୁଆଲ ଉଦଘାଟନ ସରିଥିବା ବେଳେ,ପାନ୍ଥଶାଳା, ଝଙ୍କଡ଼ ବିଶ୍ରାମାଗାର, ଓ ଶତାଧିକ ଯାତ୍ରୀ ଙ୍କ ବିଶ୍ରାମ ଓ ରାତ୍ରୀଯାପନ ନିମନ୍ତେ ଯାତ୍ରୀବିଶ୍ରାମାଗାର ଗୁଡିକ କାର୍ଯ୍ୟକ୍ଷମ ହୋଇପାରିନାହିଁ l ସେହିପରି ଶତାଧିକ ଦୋକାନଘର ( ମାର୍କେଟ କମ୍ପେକ୍ସ ) କୁ ମଧ୍ୟ ଭାଙ୍ଗିଦିଆ ଯାଇଥିବା ଦୋକାନୀ ମାନଙ୍କୁ ହସ୍ତାନ୍ତର କରାଯାଇନାହିଁ l ତେଣୁ ସମ୍ଭ୍ରାନ୍ତ ପରିବାର ଲୋକମାନେ ଉଠା ଦୋକାନ ମାନଙ୍କରେ ଖାଇବା ପାଇଁ କୁଣ୍ଠାବୋଧ କରୁଛନ୍ତି l ବର୍ଷକୁ କୋଟିକୋଟି ଟଙ୍କା ଯାତ୍ରୀମାନଙ୍କ ପ୍ରତ୍ୟେକ୍ଷ ଓ ପରୋକ୍ଷ ରେ ମନ୍ଦିରପାଣ୍ଠି କୁ ଆସୁଥିଲା ବେଳେ, କାମସରି ଉଦଘାଟନ ହୋଇସାରିଥିବା ଶୌଚାଳୟ, ପାନୀୟ ଜଳଯୋଗାଣ ଆଦି ପ୍ରକଳ୍ପ ଗୁଡିକୁ ଆଜି ପର୍ଯ୍ୟନ୍ତ ମନ୍ଦିରପ୍ରଶାସନ ନିଜ ଦାୟିତ୍ୱ କୁ ନନେବା ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ବିଶେଷକରି ରାତ୍ରୀ ସମୟରେ ରଙ୍ଗବେରଙ୍ଗ ର ଆଲୋକସଜ୍ଜା ରେ ମାଆଙ୍କ ପୀଠ ସ୍ଥଳି ଝଲସି ଉଠୁଛି ମାତ୍ର ପର୍ଯ୍ୟଟନ ଋତୁରେ ଏଠାକୁ ପ୍ରତିଦିନ ଆସୁଥିବା ଶହଶହ ଯାନବାହାନ ର ଯାତାୟାତ ନିମନ୍ତେ ରାସ୍ତାଘାଟ ର ସମ୍ପ୍ରସାରଣ ନିମନ୍ତେ, ଆବଶ୍ୟକୀୟ ଜମିଅଧିଗ୍ରହଣ କାର୍ଯ୍ୟ କେବଳ ଫାଇଲ ଭିତରେ ରହିଯାଇଛି l ନବୀକରଣ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ଓ ଯଥାଶୀଘ୍ର ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ରାଜ୍ୟ ସରକାର ଆଶୁ କାର୍ଯାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି l ତା ନହେଲେ ଏତେ ମହାନ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ରେ ସମୃଦ୍ଧିଲାଭ କରିଥିବା ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ ର ମହିମା ମହାତ୍ମ୍ୟ ଓ ମହତ୍ତ୍ୱ ବୁଡିଯିବାକୁ ଆଉ ବେଶିଦିନ ଲାଗିବ ନାହିଁ l
