ପିତାମାତାଙ୍କୁ ହତ୍ୟା କରିଥିବା ପୁଅ ଗିରଫ

ଅପରାଧ ଦେଶବିଦେଶ
Spread the love

ଉତ୍ତର ପ୍ରଦେଶ, ୧୯/୧୨: ଉତ୍ତର ପ୍ରଦେଶର ଜଉନପୁରରେ ଜଣେ ବ୍ୟକ୍ତି ନିଜର ବୃଦ୍ଧ ପିତାମାତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ କରତରେ କାଟି ଖଣ୍ଡ ବିଖଣ୍ଡିତ ଅଂଶଗୁଡିକୁ ନଦୀରେ ଫୋପାଡିଥିବା ଜଣାପଡିଛି। ପାରିବାରିକ ଗଣ୍ଡଗୋଳରୁ ଏଭଳି ହତ୍ୟା କରାଯାଇଥିବାବେଳେ ପୁଲିସ ହତ୍ୟାକାରୀ ପୁଅକୁ ଗିରଫ କରିଛି। ସୂଚନା ମୁତାବକ ଅମ୍ବେଶ ନାମକ ଏହି ଅଭିଯୁକ୍ତ ଇଞ୍ଜିନିୟର ଭାବେ କାର୍ଯ୍ୟରତ। ପାଞ୍ଚ ବର୍ଷ ପୂର୍ବେ ଅମ୍ବେଶ ଏକ ମୁସଲମାନ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ପିତା ଶ୍ୟାମ ବାହାଦୂର (୬୨) ଓ ମାଆ ବବିତା (୬୦) ଏହି ବିବାହରେ ଅସନ୍ତୁଷ୍ଟ ଥିବାବେଳେ ଉକ୍ତ ମୁସଲିମ ଯୁବତୀଙ୍କୁ ବୋହୂ ଭାବେ ଗ୍ରହଣ କରିବାକୁ ରୋକଠୋକ୍‌ ମନା କରିଦେଇଥିଲେ। ଶ୍ବଶୁର ଘର ଲୋକଙ୍କ ଏତାଦୃଶ ମନୋଭାବକୁ ସମ୍ମାନ ଜଣାଇ ଯୁବତୀ ଜଣକ ଛାଡପତ୍ର ପାଇଁ ଅମ୍ବେଶଙ୍କୁ ପ୍ରବର୍ତ୍ତାଇଥିଲେ। ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଥିବାବେଳେ ଯୁବତୀଙ୍କୁ ଭରଣ ପୋଷଣ ଅର୍ଥ ବାବଦରେ ୫ ଲକ୍ଷ ଟଙ୍କା ଦେବାକୁ ଅମ୍ବେଶ ଅକ୍ଷମତା ପ୍ରକାଶ କରିଥିଲେ।ଏଥିପାଇଁ ସେ ପିତାମାତାଙ୍କୁ ଆର୍ଥିକ ସହାୟତା ମାଗିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରାୟ ଗଣ୍ଡଗୋଳ ଲାଗି ରହିଥିଲା। ଡିସେମ୍ବର ୮ରେ ଅମ୍ବେଶ ପିତାମାତାଙ୍କୁ ହତ୍ୟା କରିବା ପରେ ଏକ କରତରେ ସେମାନଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କାଟି ନିକଟସ୍ଥ ନଦୀରେ ଭସାଇ ଦେଇଥିଲେ। ଅମ୍ବେଶ ମଧ୍ୟ ଅନ୍ୟତ୍ର ପଳାଇଥିଲେ। ଏପଟେ ପିତାମାତାଙ୍କ ଦେଖା ନପାଇ ଅମ୍ବେଶଙ୍କ ଭଉଣୀ ନିକଟସ୍ଥ ଥାନାରେ ଏକ ନିଖୋଜ ମାମଲା ଦାଏର କରିଥିଲେ। ପୁଲିସ ଅମ୍ବେଶଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରି ତାଙ୍କୁ ଗିରଫ କରିଛି। ଅମ୍ବେଶ ପ୍ରଥମେ ମାଆଙ୍କ ମୁଣ୍ଡକୁ ଶିଳପୁଆରେ ଛେଚିଦେବାରୁ ସେ ଯନ୍ତ୍ରଣାରେ ଛଟପଟ ହୋଇ ତଳେ ପଡିଯାଇଥିଲେ। ଏହା ଦେଖି ଶ୍ୟାମ ବାହାଦୂର ପଡୋଶୀଙ୍କୁ ଡାକିବାକୁ ଉଦ୍ୟତ ହେଉଥିବାବେଳେ ଅମ୍ବେଶ ତାଙ୍କ ମୁଣ୍ଡକୁ ମଧ୍ୟ ଶିଳପୁଆରେ ବାରମ୍ବାର ଛେଚିଥିଲେ। ଘଟଣାସ୍ଥଳରେ ଶ୍ୟାମ ଓ ବବିତାଙ୍କର ମୃତ୍ୟୁ ଘଟିଥିଲା। ଅମ୍ବେଶ ଦୁଇଟି ମୃତଦେହକୁ କରତରେ କାଟି ସେଗୁଡିକୁ ଅଖାରେ ପୂରାଇ ନଦୀରେ ଭସାଇ ଦେଇଥିବା ପ୍ରକାଶ।

Leave a Reply

Your email address will not be published. Required fields are marked *