ମାହାଙ୍ଗା, ୨୧/୧୨: ପ୍ରଖ୍ୟାତ ସମାଜବାଦୀ ନେତା, ପୂର୍ବତନ ସାଂସଦ, ନିର୍ଭିକ ସାମ୍ବାଦିକ,ଓଡ଼ିଆ ଅସ୍ମିତାର ଅଗ୍ରଦୂତ ସ୍ବର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୨୭ ତମ ସ୍ମୁତି ଉତ୍ସବ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବାହାହୀପୁର ସ୍ଥିତ ବିକାଶ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ମାହାଙ୍ଗା ସାରସ୍ୱତ ସେବାମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ଅନୁଷ୍ଠାନର ସଭାପତି ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ଅଧ୍ୟକ୍ଷତା କରିଥିଲେ l ଏହି ସ୍ମୁତି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଶୋଷଣମୁକ୍ତ ଶ୍ରେଣୀହୀନ ସମାଜ ଗଠନ ଓ ମେହେନତି ମଣିଷଙ୍କ ହକ ପାଇଁ କ୍ରାନ୍ତିକାରୀ ନେତା ପ୍ରଦ୍ୟୁମ୍ନ ବଳଙ୍କ ଲଢେଇ କେବେ ବ୍ୟର୍ଥ ଯିବନି ବୋଲି ମତବ୍ୟକ୍ତ କରିବା ସହିତ ଓଡ଼ିଆ ଜାତିର ଉତଥାନ ପାଇଁ ତାଙ୍କ ତ୍ୟାଗ ଓ ସେବାର ପଟ୍ଟାନ୍ତର ନାହିଁ ବୋଲି ମତପୋଷଣ କରିଥିଲେ l ମୁଖ୍ୟବକ୍ତା ଭାବେ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଜନାର୍ଦ୍ଦନ ରାଉତ ଯୋଗଦେଇ ସ୍ବର୍ଗତ ବଳଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ l ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ପଲ୍ଲୀଠାରୁ ଦିଲ୍ଲୀର ସମ୍ପାଦକ ଉମାଶଙ୍କର ସାହୁ,ଶିକ୍ଷାବିତ ଅକ୍ଷୟ କୁମାର ରାୟ ଚୌଧୁରୀ, ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ, କବି ଅକ୍ଷୟ କୁମାର ଖଟୁଆ,ପ୍ରାକ୍ତନ ଶିକ୍ଷକ ହେମନ୍ତ କୁମାର ଖଟୁଆ, ସାମ୍ବାଦିକ ଧନେଶ୍ୱର ସେଠୀ ପ୍ରମୁଖ ଏହି ଯଶସ୍ବୀ ପୁରୁଷଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ କରିବା ସହିତ ସ୍ବର୍ଗତ ବଳଙ୍କ ଭଳି ସ୍ପଷ୍ଟବାଦୀ ଓ ନୀତିନିଷ୍ଠ ପୁରୁଷଙ୍କ ପାଇଁ ଓଡ଼ିଆ ଜାତି ଗର୍ବିତ ବୋଲି କହିଥିଲେ l ଏହି ସ୍ମୁତି ଉତ୍ସବରେ ଶିକ୍ଷୟିତ୍ରୀ ବାଣୀ ରାଉତ, ଗୁରୁଚରଣ ସାହୁ, ମାଧବ ଚନ୍ଦ୍ର ଜେନା, କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ବିନୟ କୁମାର ପରିଡା, ରାଜକିଶୋର ଜେନା, କୈଶୋର ଦାସ, ପ୍ରେମଳତା ରାଉତ, ଅର୍ଚିତା ସ୍ୱାଇଁ, ବସନ୍ତ ମଞ୍ଜରୀ ରାଉତ, ଇଞ୍ଜିନିଅର ମନୋଜ ପାତ୍ର, ଗଙ୍ଗାଧର ଖଣ୍ଡାଇ, ହରିହର ବଳ ପ୍ରମୁଖ ଯୋଗଦେଇ ଦିବଂଗତ ପୁରୁଷ ପ୍ରଦ୍ୟୁମ୍ନ ବଳଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ l ଶେଷରେ ସତ୍ୟପ୍ରକାଶ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବରେ ବହୁ ସାହିତ୍ୟିକ, ଅଧ୍ୟାପକ, ସମାଜସେବୀ, ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ l
