ଡୁଙ୍ଗୁରିପାଲି, ୨୨/୧୨: ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ‘ସମାଜ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ; ତେଣୁ ‘ସମାଜ’ର ସ୍ୱର ଭାବେ ଆମେ ନିଜର ଦାୟିତ୍ୱ ତୁଲାଇବା। ଏଭଳି ମତ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆର୍ଏମ୍ସି ପରିସରରେ ବ୍ଲକ ‘ସମାଜ’ ପାଠକ ମଞ୍ଚର ଦ୍ୱିତୀୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ.ମହାଲିଙ୍ଗ ଏହି ମତପ୍ରକାଶ କରିଛନ୍ତି।‘ସମାଜ’ ପାଠକ ମଞ୍ଚର ସଭାପତି ମଧୁସୁଦନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଡ. ମହାଲିଙ୍ଗ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସେବା ଓ ଶିକ୍ଷାର ବିକାଶ ପାଇଁ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ‘ସମାଜ’ ଦାୟିତ୍ବ ଗ୍ରହଣ କରିଛି ଏବଂ ‘ସମାଜ ପାଠକ ମଞ୍ଚ’ ଏଥିରେ ସାମିଲ ହୋଇଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଓଷ୍ଟାର ପୂର୍ବତନ ସଭାପତି ପୁରନ୍ଦର ଦାଶ, ‘ସମାଜ’ ବଲାଙ୍ଗିର ସଂସ୍କରଣ ଭାରପ୍ରାପ୍ତ ଶାଖା ପରିଚାଳକ ପାର୍ଥ ମହାପାତ୍ର, ବିଜ୍ଞାପନ ବିଭାଗର ରଶ୍ମିରଞ୍ଜନ ପଟ୍ଟନାୟକ, ସୁବର୍ଣ୍ଣପୁର ଜିଲା ପ୍ରତିନିଧି ସ୍ୱାଧୀନ ମେହେର ‘ସମାଜ’ ପାଠକ ମଞ୍ଚର ଲକ୍ଷ୍ୟ, ସାଧାରଣ ଲୋକଙ୍କ ପାଇଁ ଏହାର ଉତ୍ତରଦାୟିତ୍ବ ସଂପର୍କରେ ମତବ୍ୟକ୍ତ କରିଥିଲେ। ପାଠକ ମଞ୍ଚର ସଦସ୍ୟ ପ୍ରାଣବନ୍ଧୁ ହୋତା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଆବାହକ ତଥା ସ୍ଥାନୀୟ ପ୍ରତିନିଧି ରତ୍ନାକର ସେଠ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅମୂଲ୍ୟ ବେହେରା ଅତିଥି ପରିଚୟ ପ୍ରଦାନ ଓ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ବିବରଣୀ ପାଠ କରିଥିଲେ।ଡୁଙ୍ଗୁରିପାଲି ଡାକ୍ତରଖାନାର ଉନ୍ନତି ସହ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଡ. ମହାଲିଙ୍ଗ କହିଥିଲେ ଡୁଙ୍ଗୁରିପାଲିରେ ଏକ ଶବ ବ୍ୟବଚ୍ଛେଦ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଥିଲେ।ଏହି ଅବସରରେ ଡୁଙ୍ଗୁରିପାଲି ବ୍ଲକର ପ୍ରଥମ ଏଜେଣ୍ଟ ଭାବେ ବୀରେନ୍ଦ୍ର ସାହୁ, ସେବା ପାଇଁ ସେବା ଫାଉଣ୍ଡେସନ ତଥା ଏହାର ପ୍ରତିଷ୍ଠାତା ବିଭୁଦତ୍ତ ବିଶ୍ୱାଳ, ମେଘନାଦ ପଧାନ, ଶିକ୍ଷା ପାଇଁ ବଡକର୍ଲେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଗୋପାଳ ଭୋଇ ଓ ପଣ୍ଡକିଟାଲ ସ୍କୁଲର ଶିକ୍ଷକ ହେମସାଗର ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
