ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା ରାଜ୍ୟ
Spread the love

ବାରିପଦା,୨୩/୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ପ୍ରାୟ ୫ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଟର୍ମିନାଲ୍ ଉତ୍ତର ଓଡ଼ିଶାର ଏକ ପ୍ରମୁଖ ପରିବହନ ହବ୍ ଭାବେ ଉଭା ହେବ।ଏଠାରେ ବିଶ୍ରାମ ଗୃହ, ପରିଷ୍କାର ଶୌଚାଳୟ, ଫୁଡ୍ କୋର୍ଟ, ରିଟେଲ୍ ଆଉଟଲେଟ୍ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ସିସିଟିଭି, ୱାଇ-ଫାଇ (Wi-Fi), ଡିଜିଟାଲ୍ ସୂଚନା ପ୍ରଣାଳୀ ଏବଂ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ସୌର ଆଲୋକ, ବର୍ଷା ଜଳ ସଂରକ୍ଷଣ ଏବଂ ସବୁଜ ବଳୟ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ଶିମିଳିପାଳ ଅଭୟାରଣ୍ୟ ଓ ସ୍ଥାନୀୟ ଐତିହ୍ୟ ସ୍ଥଳକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଏହା ସହାୟକ ହେବ।ଏହି ବସ୍ ଟର୍ମିନାଲ୍ ପାଇଁ ଗଛ କଟାକୁ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ପ୍ରକଳ୍ପ ଯୋଗୁଁ ପ୍ରାୟ ୧,୭୮୯ରୁ ୫,୦୦୦ ଗଛ କଟାଯାଉଥିବା ଅଭିଯୋଗ କରି ଜଣେ ଆଇନଜୀବୀ NGT (ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍) ରେ ମାମଲା ଦାୟର କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ୬ ତାରିଖରେ ହେବ।ମୟୂରଭଞ୍ଜ ଜିଲାପାଳ ହେମକାନ୍ତ ସାଏ କହିଛନ୍ତି ଯେ, ପରିବେଶର ସନ୍ତୁଳନ ରକ୍ଷା ପାଇଁ ସରକାର ପ୍ରତିବଦ୍ଧ। ୫ ଏକର ଜାଗାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଗଛ କଟାଯାଉଥିଲେ ମଧ୍ୟ ଏହାର କ୍ଷତିପୂରଣ ସ୍ୱରୂପ ୧୪ ଏକର ଜାଗାରେ ପ୍ରାୟ ୬,୦୦୦ରୁ ଅଧିକ ନୂତନ ଚାରା ରୋପଣ କରାଯିବ। ଜିଲ୍ଲାର ବିକାଶ ସହ ପରିବେଶକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *