ଘୁ.ଉଦୟଗିରି, ୨୫/୧୨: ଖ୍ରୀଷ୍ଟ ସମ୍ପ୍ରଦାୟର ମହାପର୍ବ ସବୁଠାରୁ ବଡ଼ ଉତ୍ସବ କହିଲେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ। ଡିସେମ୍ବର ୨୫ ତାରିଖରେ ବଡ଼ଦିନ ମହାଆଡ଼ମ୍ବରରେ ସ୍ଥାନୀୟ ଅଞ୍ଚଳରେ ପାଳିତ ହୋଇଯାଇଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ପାଳନ ପାଇଁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାର୍ଥନା ଗୃହ ଓ ଚର୍ଚ୍ଚ ଗୁଡ଼ିକ ରଙ୍ଗ ବେରଙ୍ଗର ବିଭିନ୍ନ ଆଲୋକମାଳରେ ସୁସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା। ମୁଖ୍ୟତଃ ସ୍ଥାନୀୟ ସହରର ନୂଆସାହି ବାପଟିଷ୍ଟ ଚର୍ଚ୍ଚ, ମାଲିକାପଡ଼ି ବାପଟିଷ୍ଟ ଚର୍ଚ୍ଚ, କନବାଗିରି ବାପଟିଷ୍ଟ୍ ଚର୍ଚ୍ଚ, ସିଏନଆଇ ଚର୍ଚ୍ଚ, କୁମ୍ଭାରକୁପା ଓ ସୁକାନାଣ୍ଡା କାଥଲିକ୍ ଚର୍ଚ୍ଚ, ଗ୍ରେସିଙ୍ଗିଆ, ତେଲିଙ୍ଗିଆ, କଳିଙ୍ଗା ର ସମସ୍ତ ଚର୍ଚ୍ଚ,ପ୍ରାର୍ଥନା ଗୃହ ସବୁଠାରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ନୂତନ ବସ୍ତ୍ର ପରିଧାନ ସହ ଆନନ୍ଦମୟ ଆଧ୍ୟାତ୍ମିକ ପରିବେଶରେ ବଡ଼ଦିନ ପାଳନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।
ଏହି ମହାପର୍ବରେ ପ୍ରାର୍ଥନା, ଭକ୍ତି ସଙ୍ଗୀତ, ଯୁବ ପିଢ଼ିଙ୍କ ନାଚ ଗୀତ ସହ ମହା ଆନନ୍ଦରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନକୁ ପାଳନ କରାଯାଇଛି। ସମସ୍ତ ଚର୍ଚ୍ଚ ଗୁଡ଼ିକରେ ପାଳକ ଓ ବକ୍ତାମାନଙ୍କ ଦ୍ଵାରା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ , ଉଦ୍ଦେଶ୍ୟ, ମହତ୍ତ୍ଵ ବିଷୟରେ କହିବା ସହ ମୃତ୍ୟୁ ,ପୁନରୁଥାନ ଓ ଦିତ୍ୱୀୟ ଆଗମନ ବିଷୟରେ କହିବା ସହ ପବିତ୍ର ବାଇବଲରେ ଲିଖିତ ବାକ୍ୟଗୁଡ଼ିକ ପଠନ କରିବା ସହ ବିସ୍ତୃତ ବିବରଣୀ ଆଲୋଚନା କରାଯାଇଥିବା ଦେଖିବାକୁ ମିଳିଛି।
ଅଞ୍ଚଳରେ ଅତି ଆନନ୍ଦ ଉଲ୍ଲାସରେ ବଡ଼ଦିନ ପାଳନ ହୋଇଥିବା ବେଳେ ସ୍ଥାନୀୟ ବ୍ଲକ ପାଇଁ ଜଣେ ମାଜିଷ୍ଟ୍ରେଟ୍ ଦାୟିତ୍ଵରେ ରହିଥିବା ବେଳେ ସମସ୍ତ ଚର୍ଚ୍ଚରେ ଜଣେ ଅଫିସରଙ୍କ ସମେତ ଫୋର୍ସ ମୁତୟନ କରାଯାଇ ତିନିଗୋଟି ପୁଲିସ ପାଟ୍ରୋଲିଂ ଗାଡ଼ି ବୁଲୁଥିଲା। ଆଇଆଇସି ବିଜୟ ସ୍ବାଇଁ ସମସ୍ତ ଚର୍ଚ୍ଚ ପ୍ରାର୍ଥନା ଗୃହ ପରିଦର୍ଶନ କରିବା ସହ ତଦାରଖ କରିଥିଲେ। ସ୍ଥାନୀୟ ପୁଲିସ ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଚର୍ଚ୍ଚ ଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଏତଦ୍ ବ୍ୟତୀତ ସ୍ଥାନୀୟ ଗ୍ରାମାଞ୍ଚଳରେ ଥିବା ଚର୍ଚ୍ଚ ଗୁଡ଼ିକର ସୁରକ୍ଷା ନିମନ୍ତେ ମଧ୍ଯ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି।
