ନୂଆଦିଲ୍ଲୀ, ୨୬/୧୨: କାନାଡା ଟୋରଣ୍ଟୋ ସ୍କାରବୋରୋ ବିଶ୍ୱବିଦ୍ୟାଳୟରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପୀଡ଼ିତ ଜଣଙ୍କ ହେଉଛନ୍ତି ୨୦ବର୍ଷୀୟ ଡକ୍ଟରେଟ୍ ଛାତ୍ର “ଶିବାଙ୍କ ଅବସ୍ଥି” । ପୁଲିସ ଘଟଣାରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ କରୁଛି ।କାନାଡିୟ ଗଣମାଧ୍ୟମ ଅନୁସାରେ ଗତ ମଙ୍ଗଳବାର ଏହି ଗୁଳିକାଣ୍ଡ ଘଟିଥିଲା । ବୁଧବାର ଟୋରଣ୍ଟୋ ପୁଲିସ ପୀଡିତ ଶିବାଙ୍କ ଅବସ୍ଥିଙ୍କୁ ଚିହ୍ନଟ କରି ତଦନ୍ତ ଆରମ୍ଭ କରିଛି । କାନାଡିୟ ପୁଲିସ ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ବିଶ୍ୱବିଦ୍ୟାଳୟ ପରିସର ନିକଟରେ ଆହତ ବ୍ୟକ୍ତି ତଳେ ପଡ଼ିଥିବାର ସୂଚନା ପାଇଥିଲେ । ପୁଲିସ ଅଧିକାରୀମାନେ ପହଞ୍ଚିବା ପରେ ସେମାନେ ଜଣେ ଛାତ୍ରଙ୍କୁ ଗୁଳି ବାଜିଥିବା ଦେଖିଥିଲେ । ଘଟଣାସ୍ଥଳରେ ହିଁ ଛାତ୍ରଙ୍କୁ ମୃତ ଘୋଷଣା କରାଯାଇଥିଲା ।
