ନୂଆଦିଲ୍ଲୀ, ୨୬/୧୨: ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ସୀମା ବିବାଦକୁ ଭାରତ ଓ ଚୀନ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବାରେ ସଫଳ ହୋଇଛନ୍ତି। ତେବେ ଆଗାମୀ ଦିନରେ ଦୁଇ ଦେଶର ବିବାଦରେ ଅରୁଣାଚଳ ପ୍ରଦେଶ ବଡ ପ୍ରସଙ୍ଗ ହେବାକୁ ଯାଉଛି ବୋଲି ଆମେରିକା ସେନାର ମୁଖ୍ୟାଳୟ (ପେଣ୍ଟାଗନ) ପକ୍ଷରୁ ଜାରି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚୀନ ଅରୁଣାଚଳ ପ୍ରଦେଶକୁ ନିଜର ଅଞ୍ଚଳ ବୋଲି ବାରମ୍ବାର ଦାବି କରିଆସୁଛି। ତେଣୁ ଅରୁଣାଚଳ ପ୍ରଦେଶ ଉପରେ ଚୀନ ଏବେ ଏହାର ଦୃଷ୍ଟି ନିବିଦ୍ଧ କରିଛି। ଆମେରିକା କଂଗ୍ରେସ (ସଂସଦ)ରେ ପେଣ୍ଟାଗନ ଉପସ୍ଥାପନ କରିଥିବା ଏହାର ରିପୋର୍ଟରେ ଉଲ୍ଲେଖ କରିଛି ଯେ ଅରୁଣାଚଳ ପ୍ରଦେଶ, ତାଇୱାନ ଓ ଦକ୍ଷିଣ ଚୀନ ସାଗର ଉପରେ ଚୀନ ନିଜର ସାର୍ବଭୌମତ୍ବ ଅଧିକାର ଦାବି କରିଆସୁଛି।
ଏହି ସାର୍ବଭୌମତ୍ବ ଅଧିକାରକୁ ଚୀନ ୨୦୪୯ ସୁଦ୍ଧା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏହି ତିନିଟି ଅଞ୍ଚଳ ଉପରେ ନିଜର ସାର୍ବଭୌମତ୍ବ ଅଧିକାର ହାସଲ ଲାଗି ଚୀନ ‘ଗ୍ରେଟ୍ ରିଜୁଭେନେସନ୍’ ନାମରେ ଏକ ଯୋଜନା ପ୍ରସ୍ତୁତ କରିଛି। ଏହି ଯୋଜନା ହାସଲ କରିବା ଲାଗି ଚୀନ ଏହାର ସାମରିକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ବ ଦେଉଛି। ନିଜର ସୈନ୍ୟବାହିନୀକୁ ବିଶ୍ବସ୍ତରୀୟ ‘ୱାଲଡ୍ କ୍ଲାସ ମିଲିଟାରୀ’ ଭାବେ ଗଠନ କରୁଛି। ଯେପରି କି ଚୀନ ସୈନ୍ୟ ପ୍ରତ୍ୟେକ ଯୁଦ୍ଧକୁ ଜିତିପାରିବାର କ୍ଷମତା ରଖିଥିବ। ଅରୁଣାଚଳ ପ୍ରଦେଶ ଉପରେ ଚୀନର ସାର୍ବଭୌମତ୍ବ ଅଧିକାର ଦାବି କରୁଥିବାବେଳେ ଭାରତ ଏହାକୁ ନିଜର ଅଞ୍ଚଳ ବୋଲି କହିଆସୁଛି। ଭାରତ କହୁଛି ଯେ ଅରୁଣାଚଳ ପ୍ରଦେଶ ଏହାର ଅଞ୍ଚଳ ଥିଲା, ଏବେ ଅଛି ଓ ଭବିଷ୍ୟତରେ ମଧ୍ୟ ରହିବ।
୨୦୨୦ ମସିହା ଜୁନ୍ ୧୫ ଓ ୧୬ ତାରିଖରେ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଉଭୟ ପକ୍ଷର ଅନେକ ସୈନ୍ୟ ପ୍ରାଣ ହରାଇଥିଲେ। ଏହି ସୀମା ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ୨୦୨୪ରେ ଦୁଇଦେଶ ଏହି ବିବାଦକୁ ଆପୋସ ସମାଧାନ କରିବା ସହିତ ଏଲ୍ଏସିର ବିବାଦୀୟ ଅଞ୍ଚଳରୁ ନିଜର ସୈନ୍ୟ ପ୍ରତ୍ୟାହାର କରିଥିଲେ। ଏହି ବିବାଦର ସମାଧାନ ପରେ ଚୀନ ଏବେ ଅରୁଣାଚଳ ପ୍ରଦେଶ ପ୍ରସଙ୍ଗ ଉଠାଇ ଭାରତ ସହିତ ତିକ୍ତତା ସୃଷ୍ଟି କରିବାରେ ଲାଗିଛି। ଗତ ମାସରେ ପ୍ରେମା ଥୋଙ୍ଗଡୋକ୍ ନାମକ ଜଣେ ଭାରତୀୟ ମହିଲା ଲଣ୍ଡନରୁ ଜାପାନ ଯାଉଥିବାବେଳେ ଚୀନରେ ହଟହଟ୍ଟା ହୋଇଥିଲେ। ପ୍ରେମା ତାଙ୍କ ଯାତ୍ରା କାଳରେ ସାଙ୍ଘାଇର ପୁଡୋଙ୍ଗ ବିମାନବନ୍ଦରରେ ୩ ଘଣ୍ଟାର ସାମୟିକ ରହଣୀ (ଲେଓଭର) କରିବାର ଥିଲା। ଲେଓଭର ପାଇଁ ସେ ବିମାନବନ୍ଦର ଇମିଗ୍ରେସନ କାଉଣ୍ଟରରେ ନିଜର ପାସପୋର୍ଟ ଦେଖାଇଥିଲେ। ମାତ୍ର ତାଙ୍କ ପାସପୋର୍ଟକୁ ଅବୈଧ ଘୋଷଣା କରାଯାଇଥିଲା। କାରଣ ପାସପୋର୍ଟରେ ତାଙ୍କର ଜନ୍ମସ୍ଥାନ ଅରୁଣାଚଳ ପ୍ରଦେଶ ଲେଖାଥିଲା। ଇମିଗ୍ରେସନ କାଉଣ୍ଟରରେ ଥିବା ଅଧିକାରୀ ପ୍ରେମାଙ୍କୁ କହିଥିଲେ ଯେ ଅରୁଣାଚଳ ପ୍ରଦେଶ ଚୀନର ଅଂଶ।
ବିମାନବନ୍ଦର କର୍ମଚାରୀଙ୍କ ଏପରି ଉତ୍ତର ଶୁଣି ପ୍ରେମା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରି କି ତାଙ୍କୁ କେତେକ କର୍ମଚାରୀ ଚୀନ ପାସପୋର୍ଟ ପାଇଁ ଆବେଦନ କରିବାକୁ କହିଥିଲେ। ବିମାନବନ୍ଦରରେ ୩ ଘଣ୍ଟାର ଲେଓଭର ପରିବର୍ତ୍ତେ ତାଙ୍କୁ ୧୮ଘଣ୍ଟା ରହିବାକୁ ପଡିଥିଲା। ଏହି ସମୟରେ ପ୍ରେମାଙ୍କୁ ଠିକ୍ ଭାବେ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସୁବିଧା ମିଳିପାରି ନଥିଲା। ତାଙ୍କୁ କୌଣସି ଅଧିକାରୀ ସ୍ପଷ୍ଟ ସୂଚନା ପ୍ରଦାନ କରି ନଥିଲେ। ଏପରି କି ତାଙ୍କ ପାସପୋର୍ଟ ମଧ୍ୟ ଫେରାଇ ନଥିଲେ। ସାଙ୍ଘାଇସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ଅଧିକାରୀଙ୍କ ସହଯୋଗ କରିବା ପ୍ରେମା ଏହି ଅସୁବିଧାରୁ ମୁକୁଳିଥିଲେ। ସେହିପରି ଗତ ସପ୍ତାହରେ ଜଣେ ୟୁଟ୍ୟୁବରଙ୍କୁ ଚୀନରେ ଅଟକ ରଖାଯାଇଥିଲା। ଅଟକ ରଖାଯିବାର କାରଣ ହେଉଛି ୟୁଟ୍ୟୁବର ଜଣଙ୍କ ପୋଷ୍ଟ କରିଥିବା ଏକ ଭିଡିଓରେ ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ ବୋଲି ଦର୍ଶାଇଥିଲେ।ଅରୁଣାଚଳ ପ୍ରଦେଶକୁ ଚୀନ ଦକ୍ଷିଣ ତିବ୍ବତ ବା ଜାଙ୍ଗନାନ ପ୍ରଦେଶ ବୋଲି କହିଆସୁଛି। ୧୯୧୪ରେ ଭାରତର ବ୍ରିଟିଶ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ମାକ୍ମୋହନ ଲାଇନକୁ ଚୀନ ଗ୍ରହଣ କରୁନାହିଁ। ବ୍ରିଟିଶ ସରକାର ଓ ସ୍ବାଧୀନ ତିବ୍ବତ ମଧ୍ୟରେ ସହମତି ଆଧାରରେ ମାକମୋହନ ଲାଲନ୍ ଧାର୍ଯ୍ୟ ହୋଇଥିଲା। ଚୀନ ପ୍ରଥମେ ଅରୁଣାଚଳ ପ୍ରଦେଶର ତାୱଙ୍ଗ ଜିଲାକୁ ନିଜର ଅଞ୍ଚଳ ବୋଲି ଦାବି କରୁଥିଲା। ଏବେ ସମଗ୍ର ଅରୁଣାଚଳ ପ୍ରଦେଶକୁ ନିଜର ଅଞ୍ଚଳ ବୋଲି ଦାବି କରୁଛି। ଏପରି କି ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନକୁ ଚୀନ ନିଜର ନାମ ଅନୁସାରେ ନାମିତ କରି ଭାରତକୁ ଉତ୍ତେଜିତ କରୁଛି। ଆମେରିକାର ପେଣ୍ଟାଗନ ରିପୋର୍ଟରେ ଆହୁରି କୁହାଯାଇଛି ଯେ ଏଲଏସିରୁ ଚୀନ ଏହାର ସୈନ୍ୟ ପ୍ରତ୍ୟାହାର ପଛରେ ବଡ ଷଡଯନ୍ତ୍ର ରହିଛି। ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପରେ ଚୀନ ଏହାର ବନ୍ଧୁ ରାଷ୍ଟ୍ର ପାକିସ୍ତାନ ସହାୟତାରେ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା ଚଳାଇଛି। ଚୀନ ଓ ପାକିସ୍ତାନର ଏହି ମିତ୍ରତା ଅପରେସନ ସିନ୍ଦୂର ସମୟରେ ଦେଖିବାକୁ ମିଳିଥିଲା। କାରଣ ପାକିସ୍ତାନ ଯେଉଁସବୁ ଅସ୍ତ୍ର ଭାରତ ଉପରେ ପ୍ରୟୋଗ କରିଥିଲା ତାହା ସବୁ ଚୀନ ନିର୍ମିତ ଥିଲା। ଏଲ୍ଏସିରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପଛରେ ଚୀନର ଆଉ ଏକ ଷଡଯନ୍ତ୍ର ହେଉଛି ନୂଆଦିଲ୍ଲୀକୁ ୱାଶିଂଟନର ନିକଟତର ହେବାରୁ ଦୂରେଇ ରଖିବ।
