ଝଙ୍କଡ, ୫/୧: ତିର୍ତ୍ତୋଲ ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଚାଲିଛି ଭିନ୍ନଧରଣ ର ରାଜକୋଷ ହରିଲୁଟ । ଦୁର୍ନୀତିର ପେଡିରୁ ଦିନକୁ ଦିନ ବାହାରୁଛି ନୂଆ ନୂଆ ଅର୍ଥ ଲୁଟର ତରିକା । ଲକ୍ଷାଧିକ ଟଙ୍କା ର ମିଥ୍ୟାବିଲ କରି ଅର୍ଥ ଆତ୍ମସାତର ଘଟଣା କୁ ମାସେ ନ ପୁରୁଣୁ ସାମ୍ନାକୁ ଆସିଲାଣି ପୁଣି ଏକ ନୂଆ ଘଟଣା । ସୂଚନା ମୁତାବକ ଦୀର୍ଘ ଛଅ ମାସରୁ ଅଧିକ ସମୟ ହେବ ଜଣେ ସି.ଆର.ସି.ସି. ବିନା ଡିଉଟିରେ ଦରମା ବାବଦ ନେଲେଣି ଲକ୍ଷାଧିକ ଟଙ୍କା । ଶିକ୍ଷା କାର୍ଯ୍ୟାଳୟରୁ ଦୀର୍ଘ ଛଅ ମାସରୁ ଅଧିକ ସମୟ ହେବ ନିଲମ୍ବନ ହୋଇ, କୌଣସି ଡିଉଟି ନ କରି ମଧ୍ୟ ପାଉଛନ୍ତି ଦରମା । ନିଲମ୍ବନ ଆଦେଶ ପ୍ରଦାନ କରି ଚୁପ୍ ବସିଛନ୍ତି ଅଧିକାରୀ । ନା ହେଉଛି ତଦନ୍ତ, ନା ହେଉଛି କାର୍ଯ୍ୟନୁଷ୍ଠାନ। ବ୍ଲକର ବହୁ ସ୍କୁଲରେ ଶିକ୍ଷକ ଅଭାବ ସହିତ ଅଧିକାଂଶ ସି.ଆର.ସି.ସି. ଦୁଇ ଦୁଇଟି କ୍ଲଷ୍ଟର ଦାୟୀତ୍ୱରେ ରହିଛନ୍ତି କାମର ବୋଝରେ ଚାପଗ୍ରସ୍ତ ହେଉଛନ୍ତି ବୋଲି ନାମ ଗୋପନ ରଖି ପ୍ରକାଶ କରିଛନ୍ତି କିଛି ସି.ଆର.ସି.ସି. । ଏପରି ପରିସ୍ଥିତିରେ ଜଣେ ସି.ଆର.ସି.ସି. ଘରେ ବସି ରାଜକୋଷରୁ ଦରମା ପାଇବା, କୌଣସି ଡିଉଟି ନଦେବା ଅଧିକାରୀ ଙ୍କ କେଉଁ ଉଦ୍ଦେଶ୍ୟ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ ବହୁ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ ପେନସନ ଓ ଅନ୍ୟାନ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ବି.ଆର.ସି.ସି. ଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଉକ୍ତ ସି.ଆର.ସି.ସି. ଙ୍କୁ ତଦନ୍ତରୁ ଦୁରେଇରଖି ପ୍ରମାଣ ନଷ୍ଟ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ପ୍ରଶ୍ନ ଉଠାଇଛନ୍ତି ବହୁ ପୂର୍ବତନ ଅଧିକାରୀ । ଉକ୍ତ ସି.ଆର.ସି.ସି. ଙ୍କୁ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠ।ନ ଗ୍ରହଣ ସହିତ ନୂତନ ସି.ଆର.ସି.ସି. ନିଯୁକ୍ତି ପ୍ରଦାନ କରି ତିର୍ତ୍ତୋଲ ବ୍ଲକ ରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ତୁରନ୍ତ ସଜାଡିବାକୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଆଗାମୀ ଦିନରେ ବିଭିନ୍ନ ଶିକ୍ଷକ ସଂଗଠନ ଆନ୍ଦୋଳନ କରିବା ପାଇଁ ସଜ ହେଉଥିବାର ଶୁଣିବାକୁ ମିଳିଛି ।
