ଝଙ୍କଡ଼, ୧୪/୦୧/୨୦୨୬ : ଗଜପତି କପିଳେନ୍ଦ୍ର ଦେବଙ୍କ ସମସାମୟିକ ମହାନ ଆଧ୍ୟାତ୍ମିକ ମାର୍ଗଦର୍ଶକ ସନ୍ଥ ବାବା ବିଧାର ଗୋସେଇଁଙ୍କ ଜନ୍ମଉତ୍ସବ ଅବସରରେ ଏକ ଭବ୍ୟ ଆଧ୍ୟାତ୍ମିକ ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ମୂଳିସିଂହ ପଞ୍ଚାୟତ ଅନ୍ତର୍ଗତ କାବଲପୁର ବାଘୁଆବାରି ସ୍ଥିତ ବାବାଙ୍କ ପୀଠସ୍ଥଳୀଠାରେ ପବିତ୍ର ମକର ସଂକ୍ରାନ୍ତି ତିଥିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।
ପ୍ରଜ୍ଞା ଶିରୋମଣି ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସାରସ୍ୱତ ସାଧକ ଓ ଦାର୍ଶନିକ ଡଃ ସୁଧାକର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ଅଧ୍ୟକ୍ଷତାରେ ଏହି ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଲୋଚନା ଚକ୍ରର ଭିତ୍ତିପତ୍ର ଉପସ୍ଥାପନା କରି “ସମୟ ହିଁ ସୌନ୍ଦର୍ଯ୍ୟର ଘାତକ” ଶୀର୍ଷକ ପ୍ରସଙ୍ଗ ଉପରେ ଡଃ ଦାସ ଗଭୀର ଆଲୋକପାତ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରାଚ୍ୟବିଦ ନିରଞ୍ଜନ ପଣ୍ଡା ଯୋଗଦେଇ ଡଃ ଦାସଙ୍କ ଦ୍ୱାରା ସଦ୍ୟ ପ୍ରକାଶିତ ଗବେଷଣାତ୍ମକ ଗ୍ରନ୍ଥ ‘ଓଡ଼ିଆ ପୁରାଣ ସାହିତ୍ୟର ଇତିହାସ’କୁ ବାବା ବିଧାର ଗୋସେଇଁଙ୍କ ପାଦତଳେ ସମର୍ପଣ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଟ୍ରଷ୍ଟର ସମ୍ପାଦକ ଦିଲ୍ଲୀପ କୁମାର ଦାସ ଏବଂ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଯୋଗ ଦେଇଥିବା ବେଳେ, ମଠର ମହନ୍ତ ବାବା ଅଷ୍ଟନାଥ ମହାରାଜ ସ୍ୱତନ୍ତ୍ର ଅତିଥି ଭାବେ ମଞ୍ଚ ମଣ୍ଡନ କରିଥିଲେ।
ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ଦାସ, ସୁଦର୍ଶନ ଦାସ, ଧ୍ରୁବ ଚରଣ ଦାସ, ଗୋକୁଳ ଚନ୍ଦ୍ର ଦାସ, ଦୀପକ କୁମାର ଦାସ, ନିମାଇଁ ଚରଣ ଦାସ, ଗାଲେଖ ଚନ୍ଦ୍ର ଦାସ, ରମାକାନ୍ତ ଦାସ, ମନୋଜ କୁମାର ଦାସ, ପୂର୍ବତନ ସରପଞ୍ଚ ଯୁଗଳ କିଶୋର ମହାନ୍ତି, ନିହାରିକା ଦାସ, ଲକ୍ଷ୍ମୀପ୍ରିୟା ଦାସ, ଶୈଳବାଳା ଦାସ, ପ୍ରମୋଦ କୁମାର ଦାସ, ଅରକ୍ଷିତ ସେଠୀ ଏବଂ ଯଜ୍ଞାଚାର୍ଯ୍ୟ ପଣ୍ଡିତ କ୍ଷୀରୋଦ କୁମାର ପଣ୍ଡା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ନିତ୍ୟ ପୂଜକ ଅଜିତ କଣ୍ଠ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବାବାଙ୍କ ଏହି ପୀଠରେ ଆୟୋଜିତ ଏହି ଆଧ୍ୟାତ୍ମିକ ସଭା ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।
